ଭୁବନେଶ୍ବର: ଉତ୍ତମ ଭିତ୍ତିଭୂମି ଓ ଉତ୍ତମ ଯୋଗାଯୋଗ ସୁବିଧା ମାଧ୍ୟମରେ ରାଜ୍ୟକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ଆଗକୁ ନେବା ପାଇଁ ଗୁରୁତ୍ବାରୋପ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକ ସମୟରେ ଧର୍ମେନ୍ଦ୍ର ଏହି ମତ ରଖିଛନ୍ତି । ଓଡିଶାର ସୁବିଧାଜନକ ଭୌଗୋଳିକ ସ୍ଥିତି, ସୁଦୀର୍ଘ ବେଳାଭୂମି, ପ୍ରଚୁର ପ୍ରାକୃତିକ ସମ୍ପଦ ଏବଂ ଉତ୍ତମ ମାନବ ସମ୍ବଳ ରହିଛି । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିକଳ୍ପିତ ଆତ୍ମନିର୍ଭର ଭାରତ ପାଇଁ ଉଦ୍ଦିଷ୍ଟ ଅର୍ଥନୈତିକ ପ୍ୟାକେଜର ସବୁଠାରୁ ଅଧିକ ଲାଭ ନେଇପାରିବ ବୋଲି ସେ କହିଛନ୍ତି ।
ଏହି ଆଲୋଚନା ସମୟରେ ଉତ୍ତମ ଭିତ୍ତିଭୂମି ଓ ଯୋଗାଯୋଗ ସୁବିଧା ମାଧ୍ୟମରେ ଓଡିଶାର ଶିଳ୍ପାୟନରେ ଦ୍ରୁତ ବିକାଶ ହୋଇପାରିବା ଦିଗରେ ଗୁରୁତ୍ବାରୋପ କରାଯାଇଥିଲା । ଭିତ୍ତିଭୂମି ଆଧାରିତ ଅର୍ଥନୈତିକ ପ୍ରଗତି ଓଡିଶାରେ ବ୍ୟାପକ ନିଯୁକ୍ତି ସୁଯୋଗର ସୃଷ୍ଟି କରିବାର ସମ୍ଭାବନା ଥିବା ଧର୍ମେନ୍ଦ୍ର ପ୍ରକାଶ କରିଥିଲେ । ଏହି ବୈଠକରେ କେନ୍ଦ୍ର ସରକାରଙ୍କ ସହରାଞ୍ଚଳ ବିକାଶ ଓ ଗୃହ ନିର୍ମାଣ, ଟେଲି ଯୋଗାଯୋଗ, ଜାହାଜ ଚଳାଚଳ, ତୈଳ ଓ ପ୍ରାକୃତିକ ଗ୍ୟାସ, ବେସାମରିକ ବିମାନ ଚଳାଚଳ, ଶିଳ୍ପ ଓ ବାଣିଜ୍ୟ, ସଡକ ପରିବହନ ଓ ଜାତୀୟ ରାଜମାର୍ଗ, ରେଳ, ନୂତନ ଓ ଅକ୍ଷୟ ଶକ୍ତି, ଶକ୍ତି ଏବଂ ଜଳ ଶକ୍ତି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।
ଏହାସହ ଏହି ବୈଠକରେ କେନ୍ଦ୍ର ସରକାରଙ୍କ ଶିଳ୍ପ ଉନ୍ନୟନ ଏବଂ ଅନ୍ତଃବାଣିଜ୍ୟ ସଚିବ ଗୁରୁପ୍ରସାଦ ମହାପାତ୍ର ଏବଂ ଓଡିଶା ମୁଖ୍ୟ ଶାସନ ସଚିବ ତଥା ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ