ଭୁବନେଶ୍ବର: କୋରୋନା ହାରିବ, ଦେଶ ଜିତିବ । ଜୋରଦାର ହେବ ନରହନ୍ତା ଭୂତାଣୁ ବିନାଶ ଯୁଦ୍ଧ । ଆଉ ଏହି ଯୁଦ୍ଧର ଆଗଧାଡିର ସେନାନୀ ସାଜିଛି ଓଡିଶା । କୋରୋନା ଆଁ ରେ ଛଟପଟ ବିଶାଳ ସଂଖ୍ୟକ ଜନସମୁଦାୟର ପ୍ରାଣ ରକ୍ଷା ପାଇଁ ଦୁଇପାଦ ଆଗକୁ ବଢାଇଛି ଓଡିଶା । ଦଳମତ ନିର୍ବିଶେଷରେ ,ନିସ୍ବାର୍ଥପର ଭାବେ କେନ୍ଦ୍ର ସରକାରଙ୍କ ସମେତ ଅନ୍ୟ ରାଜ୍ୟଙ୍କୁ ଦୁର୍ଲଭ ଅମ୍ଲଜାନ ଯୋଗାଇବାକୁ ପ୍ରତିଶ୍ରୁତିବଦ୍ଧ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋରୋନା ସୁନାମିରେ ଉବୁଟୁବୁ ହୋଇ ପ୍ରାଣ ବିକଳରେ ନିଶ୍ବାସ ପାଇଁ କାକୁତିମିନତି ହେଉଥିବା ପ୍ରମୁଖ ରାଜ୍ୟକୁ ଅମ୍ଲଜାନ ଯୋଗାଇବାକୁ ଅଣ୍ଟା ଭିଡିଛି ଓଡିଶା ।
ମଧ୍ୟପ୍ରଦେଶ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ , ବିହାର,ମହାରାଷ୍ଟ୍ର, ଦିଲ୍ଲୀ ଆଦି କୋରୋନା ପ୍ରହାରରେ ଗୁରୁତର ହୋଇପଡିଥିବା ବେଳେ, ସଂଜୀବନୀ ଯୋଗାଉଛି ଓଡିଶା । ସମ୍ପ୍ରତ୍ତିକ ସ୍ଥିତିରେ ଏହି ୬ ଟି ରାଜ୍ୟକୁ ଲଗାତାର ଯୋଗାଣ ହେଉଛି ଅକ୍ସିଜେନ୍ । ଆଉ ଏହାର ତଦାରଖ ପାଇଁ ଗଠନ ହୋଇଛି ସ୍ବତନ୍ତ୍ର ସେଲ । ଏହି ସେଲକୁ 24 ପ୍ରହର ଜଗିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଏହାବାଦ ଅଭାବୀ ରାଜ୍ୟକୁ ସୁରକ୍ଷିତ ଭାବେ ଅକ୍ସିଜେନ ଭର୍ତ୍ତି ଟ୍ୟାଙ୍କର ନେବା ପାଇଁ ହୋଇଛି ‘ଗ୍ରୀନ କରିଡର’ । ଏପରିକି ପରିବହନ ବ୍ୟବସ୍ଥାକୁ ସରଳ ଓ ବାଧାମୁକ୍ତ କରିବାକୁ ଛଞ୍ଚାଣ ଭଳି ତତ୍ପର ରହିଛି ଓଡିଶା ପୋଲିସ । ସେପଟେ ୨୪ ଘଣ୍ଟିଆ ଅମ୍ଲଜାନ ଉତ୍ପାଦନ ପାଇଁ ଶିଳ୍ପ ଅନୁଷ୍ଠାନକୁ ଦିଆଯାଇଛି ନିର୍ଦ୍ଦେଶ । ଟାଟା କଳିଙ୍ଗନଗର, ଟାଟା ଭୂଷଣ ଢେଙ୍କାନାଳ ଓ ଜେଏସଏଲ କଳିଙ୍ଗନଗର , ଜେଏସପିଏଲକୁ ଅକ୍ସିଜେନ ଯୋଗାଣରେ ଏକ କରିଦେଇଛନ୍ତି ଦିନରାତି । କୋରୋନା ଲଢେଇରେ କର୍ପୋରେଟ ଜଗତର ଏଭଳି ସହଯୋଗକୁ ପ୍ରଂଶସା କରିଛି ଦେଶ ।
ଗଲା ୨୪ ଘଣ୍ଟାରେ ଅନ୍ୟ ରାଜ୍ୟକୁ ୧୫ଟି ଟ୍ୟାଙ୍କରରେ ୨୫୦ ଟନ୍ ଅକ୍ସିଜେନ୍ ପଠାଯାଇଛି । ଯାଜପୁର ଟାଟା ଷ୍ଟିଲ କଳିଙ୍ଗନଗରରୁ ଆନ୍ଧ୍ର, ମହାରାଷ୍ଟ୍ରକୁ ଏସ୍କର୍ଟରେ ପଠାଯାଇଛି ଅକ୍ସିଜେନ୍ ଟ୍ୟାଙ୍କର । ବାକି ୪ଟି ଟ୍ୟାଙ୍କରରେ ଅନ୍ୟ ରାଜ୍ୟକୁ ଅକ୍ସିଜେନ ପଠାଯିବ ।
ମହାମାରୀ ପ୍ରକୋପରେ ଅକ୍ସିଜେନ ଆଜି ପାଲଟିଛି ଅତ୍ୟନ୍ତ ଦୁର୍ଲଭ । ଏହି ଦୁର୍ଲଭ ଗ୍ୟାସକୁ ଯୋଗାଇ ପ୍ରାଣରକ୍ଷାକାରୀ ସାଜିଛି ଆମ ରାଜ୍ୟ । ବର୍ତ୍ତମାନର ଯୁଦ୍ଧସମ ପରିସ୍ଥିତିରେ ଯେକୌଣସି ରାଜ୍ୟକୁ ଅକ୍ସିଜେନ ଯୋଗାଇବାକୁ ତୟାର ଓଡିଶା । ଆଉ ଏହି ସଙ୍କଟର ମିଳିତ ଲଢେଇରେ ଜଣେ ସାହାସୀ ଯୋଦ୍ଧା ଭାବେ ନେତୃତ୍ବ ନେଇ ନବୀନ ନିଜକୁ ଜଣେ ବାସ୍ତବ ରାଜନେତା ସହ ରାଷ୍ଟ୍ରନାୟକ ଭାବେ କରିଛନ୍ତି ପ୍ରତିପାଦିତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ