ଭୁବନେଶ୍ବର: ଦେଶର ରାଜନୀତିରେ ସ୍ବଚ୍ଛତା ଆଣିବା ପାଇଁ ଜାରି ରହିଛି ବିଭିନ୍ନ ସଂସ୍କାର ମୂଳକ ପଦକ୍ଷେପ । ଯାହା ଏବେ ତୃଣମୂଳ ସ୍ତରରେ ମଧ୍ୟ ଆରମ୍ଭ ହେବାକୁ ଯାଉଛି । ଏନେଇ ଶନିବାର ରାଜ୍ୟ ସରକାର ଆଇନର ସଂଶୋଧନ ପାଇଁ ଅଧ୍ୟାଦେଶ ଜାରି କରିଛନ୍ତି । ଏହାଦ୍ବାରା ଓଡିଶା ଗ୍ରାମପଞ୍ଚାୟତ ଆଇନ ୧୯୬୪, ଓଡିଶା ପଞ୍ଚାୟତ ସମିତି ଆଇନ ୧୯୫୯, ଓଡିଶା ଜିଲ୍ଲା ପରିଷଦ ଆଇନ ୧୯୯୧ର ସଂଶୋଧନ ହେବ ।
ଯଦ୍ବାରା ଏଣିକି ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ମାନେ ନାମାଙ୍କନ ଦାଖଲ ବେଳେ ସତ୍ୟପାଠ ଦେବେ । ନିର୍ବାଚନ ଲଢୁଥିବା ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ମାନେ ନିଜର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ତାଲିକା, ଶିକ୍ଷାଗତ ଯୋଗ୍ୟତା, ଅପରାଧିକ ମାମଲାର ପୁରା ତଥ୍ୟ ଦେବାକୁ ବାଧ୍ୟ ହେବେ । ଫଳରେ ସାଧାରଣ ଜନତା ତୃଣମୂଳ ସ୍ତରରୁ ନିଜର ଲୋକପ୍ରତିନିଧିଙ୍କ ସମ୍ପର୍କରେ ସୂଚନା ପାଇପାରିବେ ।
ଯାହାକୁ ସ୍ବାଗତ କରିଛନ୍ତି ଓଡିଶା ଇଲେକ୍ସନ ୱାଚର ଆବାହକ । ଏହାଦ୍ବାରା ନିର୍ବାଚନରେ ସ୍ବଚ୍ଛତା ଆସିପାରିବ । ପ୍ରାର୍ଥୀଙ୍କ ସବିଶେଷ ତଥ୍ୟ ଭୋଟର ଜାଣି ପାରିବେ। ହେଲେ ଏହାର ସଠିକ କାର୍ଯ୍ୟକାରୀ ହେବା ଜରୁରୀ ବୋଲି କହିଛନ୍ତି ସେ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ