ଭୁବନେଶ୍ବର: କୃଷି ଭବନ ପ୍ରେକ୍ଷାଳୟରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଆୟୋଜିତ ହୋଇଯାଇଛି । ଓଡ଼ିଶା ଆଜି ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ନିଜର ସ୍ଥିତି ସୁଦୃଢ଼ କରିପାରିଛି । ପ୍ରାକୃତିକ ତଥା ଅନ୍ୟାନ୍ୟ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଦ୍ବାରା ନିଆଯାଇଥିବା ବଳିଷ୍ଠ ପଦକ୍ଷେପ ମାଧ୍ୟମରେ ବିପର୍ଯ୍ୟୟ ଜନିତ ଧନଜୀବନ କ୍ଷୟକ୍ଷତିକୁ ଅନେକ ମାତ୍ରାରେ ହ୍ରାସ କରାଯାଇପାରିଛି । ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅବସରରେ ଏଭଳି କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି । ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ଅବସରରେ ପଞ୍ଚାୟତିରାଜ ଅନୁଷ୍ଠାନ ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ବିପର୍ଯ୍ୟୟ ପ୍ରସ୍ତୁତିର ମେରୁଦଣ୍ଡ ବିଷୟବସ୍ତୁ ଉପରେ ମନ୍ତ୍ରୀ କହିଛନ୍ତି ।
ଏଥିସହ ଆମ ରାଜ୍ୟ ବିପର୍ଯ୍ୟୟ ପରିଚାଳନାରେ ଉତ୍କର୍ଷ ହାସଲ କରିଛି ଏବଂ ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛି । ମୁଖ୍ୟମନ୍ତ୍ରୀଙ୍କ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ନିଷ୍ଠା, ଆନ୍ତରିକତା ଓ ଦୂରଦୃଷ୍ଟି ଯୋଗୁଁ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟରେ ଧନଜୀବନ କ୍ଷୟକ୍ଷତିର ବ୍ୟାପକ ହ୍ରାସ ଘଟିଛି । ବିପର୍ଯ୍ୟୟ ପରିଚାଳନା ଓ ମୁକାବିଲା ଦିଗରେ ଆଗଧାଡ଼ିର କର୍ମୀ ଆଶା, ଅଙ୍ଗନବାଡ଼ି, ଏଏନଏମ୍ ଏବଂ ପଞ୍ଚାୟତିରାଜ ଅନୁଷ୍ଠାନ ଓ ପୌରପରିଷଦଗୁଡ଼ିକର ନିର୍ବାଚିତ ପ୍ରତିନିଧି, ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ, ବେସରକାରୀ ସଂସ୍ଥା ଓ ଗୋଷ୍ଠୀସ୍ତରୀୟ ସ୍ବେଚ୍ଛାସେବୀମାନଙ୍କର କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ଅଟେ ।
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ପ୍ରାକୃତିକ ବିପର୍ଯ୍ୟୟ ସମ୍ନାରେ ଆମେ ନିଃସହାୟତାରୁ ସାହସିକତାର ସହ ମୁକାବିଲା ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଛୁ । ଏହି ପ୍ରସ୍ତୁତିରେ ପଞ୍ଚାୟତିରାଜ ଅନୁଷ୍ଠାନ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ଗ୍ରାମ ସମୁଦାୟମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ବିପର୍ଯ୍ୟୟ ନିମନ୍ତେ ପ୍ରାକପ୍ରସ୍ତୁତି, ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର, ଉଦ୍ଧାର ଓ ରିଲିଫ୍ ଯୋଗାଣ ଏବଂ ପୁନରୁଦ୍ଧାର ଆଦି କାର୍ଯ୍ୟରେ ପଞ୍ଚାୟତିରାଜ ପ୍ରତିନିଧିମାନେ ସକ୍ରିୟ ଭାବେ ସାମିଲ ହୋଇ ଲୋକମାନଙ୍କ ଧନଜୀବନ ରକ୍ଷା କରି ଆସୁଛନ୍ତି । କୋଭିଡ୍-୧୯ ପରି ମହାମାରୀର ମୁକାବିଲାରେ ମଧ୍ୟ ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କର ଭୂମିକା ଉଚ୍ଚ ପ୍ରଶଂସନୀୟ ।
ସେହିପରି ଓଡ଼ିଶାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନେ ବିଭିନ୍ନ ବିପର୍ଯ୍ୟୟ ସମୟରେ ଧୈର୍ଯ୍ୟ ଓ ସାହସିକତାର ସହ କାର୍ଯ୍ୟକରି ଲୋକମାନଙ୍କର ଧନଜୀବନର ସୁରକ୍ଷାରେ ଲଗାତାର ଭାବେ ସହାୟକ ହୋଇଆସୁଛନ୍ତି । କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ବତନ୍ତ୍ର ରିଲିଫ୍ କମିଶନର ଏବଂ ଓସ୍ଡମାର ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ଜେନା କହିଛନ୍ତି ଯେ, ପ୍ରଳୟଙ୍କାରୀ ମହାବାତ୍ୟାକୁ ଇତିମଧ୍ୟରେ ମଧ୍ୟରେ ୨୨ ବର୍ଷ ବିତି ଯାଇଛି । ତେବେ ଓସ୍ଡମାର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବିଶେଷ ଅବଦାନ ଏବଂ ଏହି ବର୍ଷ ଗୁଡ଼ିକ ଭିତରେ ଓଡ଼ିଶା ସରକାରଙ୍କ ଦ୍ବାରା ନିଆଯାଇଥିବା ବଳିଷ୍ଠ ପଦକ୍ଷେପ ଦ୍ବାରା ବିପର୍ଯ୍ୟୟଜନିତ ଧନଜୀବନର କ୍ଷୟକ୍ଷତିକୁ ଅନେକ ମାତ୍ରାରେ ହ୍ରାସ କରାଯାଇପାରୁଛି ।
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ଯୋଗଦେଇ ବିପର୍ଯ୍ୟୟ ପରିଚାଳନାରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକର ଭୂମିକା ସଂପର୍କରେ ଆଲୋକପାତ କରିଛନ୍ତି ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ