ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଅଧିନ ବିଭିନ୍ନ କ୍ୟାଡରରେ ଖାଲିଥିବା ପଦବୀ ଖୁବଶୀଘ୍ର ପୂରଣ ହେବ । ଏଥିପାଇଁ ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମସ୍ତ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏ ସମ୍ବନ୍ଧରେ ଶୁକ୍ରବାର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ସେ ଏହି ନିର୍ଦ୍ଦେଶ ଦେଇଛନ୍ତି ।
![ସିଏସଙ୍କ ନିର୍ଦ୍ଦେଶ, ତ୍ୱରାନ୍ୱିତ କର ଖାଲିଥିବା ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା](https://etvbharatimages.akamaized.net/etvbharat/prod-images/od-bbsr-07-cs-on-employment-7209787_05082022202442_0508f_1659711282_135.jpg)
ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିଲା ଏହି ବୈଠକ । ବୈଠକରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର ବିଭିନ୍ନ ସରକାରୀ ପଦବୀ ନିମନ୍ତେ କମିଶନମାନଙ୍କ ମାଧ୍ୟମରେ ହେଉଥିବା ଚୟନ ଓ ନିଯୁକ୍ତି ପ୍ରକ୍ରିୟା ସମ୍ବନ୍ଧିତ ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏଦିଗରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ଚୟନ ପ୍ରକ୍ରିୟା ତ୍ବରାନ୍ବିତ କରିବା ନିମନ୍ତେ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ, ଷ୍ଟାପ ସିଲେକସନ କମିଶନ, ସବ - ଅଡିନେଟ ଷ୍ଟାପ ସିଲେକସନ କମିଶନ, ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ଆଦିଙ୍କୁ ସେ ପରାମର୍ଶ ଦେଇଛନ୍ତି ।
ଯେଉଁ ପଦବୀମାନଙ୍କ ପାଇଁ ପରୀକ୍ଷା ଓ ମୂଲ୍ୟାୟନ ସରିଛି ସେସବୁର ଚୟନ ତାଲିକା ନିଯୁକ୍ତି ନିମନ୍ତେ ତୁରନ୍ତ ସଂପୃକ୍ତ ବିଭାଗମାନଙ୍କୁ ସୁପାରିଶ କରିବା ପାଇଁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । କୋଭିଡ ପରବର୍ତ୍ତୀ ସ୍ଥିତିରେ ରାଜ୍ୟ ସରକାର ବିଭିନ୍ନ ପଦବୀ ନିମନ୍ତେ ଦରଖାସ୍ତ ଓ ପରୀକ୍ଷା ଫିସ ଛାଡ କରିଛନ୍ତି । ୨୦୨୧, ୨୦୨୨ ଏବଂ ୨୦୨୩ ଏହି ତିନି ବର୍ଷ ପାଇଁ ସରକାରୀ ଚାକିରି ପ୍ରବେଶ ବୟସ ସୀମା ମଧ୍ୟ ୩୨ରୁ ୩୮କୁ ବୃଦ୍ଧି କରାଯାଇଛି । ତଦନୁଯାୟୀ ସଂରକ୍ଷିତ ଶ୍ରେଣୀ ଅନ୍ତର୍ଭୁକ୍ତ ବର୍ଗମାନଙ୍କ ପାଇଁ ମଧ୍ୟ ନିୟମ ଅନୁସାରେ ବୟସସୀମା କୋହଳ କରାଯାଇଛି । ୨୦୨୧ - ୨୨ ଏବଂ ଚଳିତ ୨୦୨୨ - ୨୩ ବର୍ଷରେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ମାଧ୍ୟମରେ ୨୮୪୮ ପଦବୀ, ଓଡ଼ିଶା ଷ୍ଟାଫ ସିଲେକସନ କମିଶନ ମାଧ୍ୟମରେ ୨୫୫୫ ପଦବୀ ଏବଂ ସବ - ଅର୍ଡିନେଟ୍ ଷ୍ଟାଫ୍ ସିଲେକସନ କମିଶନ ମାଧ୍ୟମରେ ୧୦୩୫୫ ପଦବୀ ପାଇଁ ପାର୍ଥି ଚୟନ କରାଯାଇଛି । ସେମାନଙ୍କୁ ମଧ୍ୟ ସରକାରୀ ବିଭାଗମାନେ ପର୍ଯ୍ୟାୟକ୍ରମେ ନିଯୁକ୍ତି ଦେଉଛନ୍ତି ।
ଏତଦବ୍ୟତୀତ ବର୍ତ୍ତମାନ ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ ୫୮୯୩ ଗ୍ରୁପ୍ - ଏ ଓ ଗ୍ରୁପ - ବି (ଦରମା ସ୍ତର - ୧୦ ରୁ ଅଧିକ) ପଦବୀ ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଷ୍ଟାପ ସିଲେକସନ କମିଶନ ୨୩୭୬ ଗୃପ - ବି (ଦରମା ସ୍ତର - ୯) ଏବଂ ଗୃପ - ସି ପଦବୀ ପାଇଁ ମଧ୍ୟ ଚୟନ ପ୍ରକ୍ରିୟା ତ୍ବରାନ୍ବିତ କରିଛନ୍ତି । ଏମାନେ ସମସ୍ତେ ଷ୍ଟେଟ କ୍ୟାଡର୍ ଅନ୍ତର୍ଭୁକ୍ତ ହେବେ । ସେହିପରି ସବ - ଅଡିନେଟ ଷ୍ଟାପ ସିଲେକସନ କମିଶନ ଜିଲ୍ଲା - କ୍ୟାଡର ଅନ୍ତର୍ଭୁକ୍ତ ଗ୍ରୁପ-ବି ଏବଂ ଗ୍ରୁପ- ସି ପଦବୀ ପାଇଁ ମଧ୍ୟ ବିଜ୍ଞାପନ, ପରୀକ୍ଷା ଓ ଚୟନ ପ୍ରକ୍ରିୟା ଚାଲୁ ରଖୁଛନ୍ତି । ଏହିସବୁ ପଦବୀରେ ଚୟନ ଓ ନିଯୁକ୍ତି ଓ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି । ବେଶି ସଂଖ୍ୟାରେ ଜୁନିଅର ଇଞ୍ଜିନିୟର, ଷ୍ଟେନୋଗ୍ରାଫର, ଅବକାରୀ ଏସ.ଆଇ, ଡାଟା ଏଣ୍ଟ୍ରି ଅପରେଟର, ବ୍ଲକ ସାମାଜିକ ସୁରକ୍ଷା ଅଫିସର, ଅଡିଟର, ଆର. ଆଇ, ଅମିନ, ଫରେଷ୍ଟ ଗାର୍ଡ, ଅବକାରୀ କନେଷ୍ଟବଳ, ନସିଂ ଅଫିସର, ପ୍ରାଣୀ - ଧନ ନିରୀକ୍ଷକମାନଙ୍କୁ ଚୟନ କରାଯିବ ।
ଏହାଛଡ଼ା ଓଡ଼ିଶା ସିଭିଲ ସର୍ଭିସେସ ଅନ୍ତର୍ଭୁକ୍ତ ବିଭିନ୍ନ ପଦବୀ, ମେଡିକାଲ କଲେଜ୍ ପାଇଁ ଅତିରିକ୍ତ ପ୍ରଫେସର, କୃଷି ଅଧିକାରୀ, ସ୍ନାତକତ୍ତୋର ଶିକ୍ଷକ, ଭୂତତ୍ତ୍ୱବିତ, ବିଭିନ୍ନ ସରକାରୀ ମହାବିଦ୍ୟାଳୟ ନିମନ୍ତେ ଅତିରିକ୍ତ - ପ୍ରଫେସର ଆଦି ପଦବୀ ପାଇଁ ଚୟନ ଓ ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି । ପୋଲିସ ମହାନିର୍ଦ୍ଦେଶକ ସୁନିଲ କୁମାର ବନଶାଲ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ, ପ୍ରମୁଖ ଶାସନ ସଚିବ ଓ ସବଡିନେଟ ଷ୍ଟାପ ସିଲେକସନ କମିଶନ ଅଧ୍ୟକ୍ଷ ଶାଶ୍ବତ ମିଶ୍ର, ଷ୍ଟାପ ସିଲେକସନ କମିଶନ ଅଧ୍ୟକ୍ଷ ଅଭୟ, ପବ୍ଲିକ ସର୍ଭିସ କମିଶନ ସେକ୍ରେଟେରୀ ପ୍ରମୋଦ ମିଶ୍ରଙ୍କ ସମେତ ସଂପୃକ୍ତ କମିଶନମାନଙ୍କର ସେକ୍ରେଟେରୀ ଓ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର