ଭୁବନେଶ୍ବର: ମା’ର ଦୁଃଖ ବୁଝିଲେ ଓଡିଶା ଆପିଏସ ଅଫିସର। ଲକ୍ଡାଉନ୍ ବେଳେ ସାଢେ ତିନି ବର୍ଷର ପୁଅ ପାଇଁ ଆବଶ୍ୟକ ଓଟ କ୍ଷୀର ରାଜସ୍ଥାନରୁ ମୁମ୍ବାଇ ପହଞ୍ଚାଇବାରେ କଲେ ସହଯୋଗ । ଏପରି କରି ପ୍ରଶଂସାର ପାତ୍ର ହୋଇଛନ୍ତି ଓଡିଶା କ୍ୟାଡର 1996 ବ୍ୟାଚ ଆଇପିଏସ୍ ଅଫିସର ଅରୁଣ ବୋଥ୍ରା।

ଟ୍ବିଟରରେ ଏପ୍ରିଲ 4ରେ ମୁମ୍ବାଇ ଚେମ୍ବୁରର ଜଣେ ମା’ ଅଟିଷ୍ଟିକ ରୋଗରେ ଆକ୍ରାନ୍ତ ନିଜର ପୁଅ ପାଇଁ ଓଟ କ୍ଷୀର ଆବଶ୍ୟକତା ଥିବା ଦର୍ଶାଇ ପ୍ରଧାନମନ୍ତ୍ରୀଙ୍କ ସହଯୋଗ ମାଗିଥିଲେ। ଲକ୍ଡାଉନ୍ ସମୟରେ ଗାଡିମୋଟର ବନ୍ଦ ଯୋଗୁଁ ତାହା ମିଳିବା ଅସମ୍ଭବଥିଲା । ତେଣୁ ଟ୍ବିଟରରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ। ।
ହେଲେ ଏହି ସମସ୍ୟା ସମ୍ପର୍କରେ ଟ୍ବିଟରରେ ଜାଣିପାରି ସହଯୋଗର ହାତ ବଢାଇଥିଲେ ଓଡିଶା କ୍ୟାଡର ଆଇପିଏସ ଅଫିସର ତଥା ସେସୁର ସିଇଓ ଅରୁଣ ବୋଥ୍ରା। ନିଜ ଘର ରାଜସ୍ଥାନ ଗଙ୍ଗନଗର ହୋଇଥିବାରୁ ସେଠାକାର ଜଣେ କ୍ଷୀର ବ୍ୟବସାୟୀ ସହ ଯୋଗାଯୋଗ କରିଥିଲେ । କିନ୍ତୁ କ୍ଷୀର କେବଳ ଯୋଧପୁର ଯୋଗେ ପହଞ୍ଚାଯାଇପାରିବ ବୋଲି ସେହି ବ୍ୟବସାୟୀ ଜଣାଇଥିଲେ। ପରେ ଆଇପିଏସ ବୋଥ୍ରା ଉତ୍ତରପଶ୍ଚିମ ରେଲୱେ ସିପିଟିଏମ ଯୋଗେ ଯୋଗାଯୋଗକରି ସେହିପଟ ଦେଇ ଆସୁଥିବା ମାଲବାହୀ ଗାଡିକୁ ପାଲମା ଷ୍ଟେସନରେ ଅଟକାଇଥିଲେ ।
ପରେ ସେଠାରୁ 20 ଲିଟର କ୍ଷୀର ଓ କ୍ଷୀର ପାଉଡର ମାଲବାହୀ ଟ୍ରେନ ଜରିଆରେ ମୁମ୍ବାଇ ବାନ୍ଦରା ପହଞ୍ଚାଇଥିଲେ। ସେଠାରୁ ଆଦ୍ବିକ ଫୁଡସ ଜରିଆରେ ସେହି ମହିଳାଙ୍କ ପାଖରେ ପହଞ୍ଚାଯାଇଥିଲା 20 ଲିଟର ଓଟ କ୍ଷୀର ଓ ପାଉଡର। ଯାହା କେବଳ ଓଡିଶା ଆପିଏସ ଅଫିସର ଅରୁଣ ବୋଥ୍ରା ଯୋଗୁଁ ସମ୍ଭବ ହୋଇପାରିଥିଲା।
ଫଳରେ ଅଟିଷ୍ଟିକ ରୋଗରେ ଆକ୍ରାନ୍ତ ପୁଅ ପାଇଁ ଆବଶ୍ୟକ କ୍ଷୀର ପାଇପାରିଥିଲେ ମୁମ୍ବାଇର ସେହି ମହିଳା। ଅରୁଣ ବୋଥ୍ରାଙ୍କ ଏହି ମହାନତା ପାଇଁ ତାଙ୍କୁ ସୋସିଆଲ ମିଡିଆଠୁ ଆରମ୍ଭ କରି ରାଜସ୍ଥାନର ପତ୍ରିକା ଓ ତାଙ୍କ ନିଜ ଅଞ୍ଚଳରେ ମିଳିଛି ଅନେକ ପ୍ରଶଂସା।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ