ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ବୈଠକରେ ୩୨ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । କ୍ୟାବିନେଟ ମଞ୍ଜୁରୀ କରିଥିବା ଏକ ପ୍ରମୁଖ ପ୍ରସ୍ତାବ ହେଉଛି ରାଜ୍ୟରେ ଥିବା ୨୪ ଗୋଟି ଘରୋଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଜାନୁୟାରୀ ୨୦୨୨ ଠାରୁ ଶିକ୍ଷା ଅନୁଦାନ ଆଦେଶ ୨୦୧୩ ଅନୁଯାୟୀ ରାଜ୍ୟ ସରକାରଙ୍କଠାରୁ ଅନୁଦାନ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ। ତଦନୁଯାୟୀ, ସେହି ବିଦ୍ୟାଳୟଗୁଡିକରେ କାର୍ଯ୍ୟରତ ୪୭ ଜଣ ଶିକ୍ଷକ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ପ୍ରାୟ ୬୮.୫୫ ଲକ୍ଷ ଟଙ୍କା ଖର୍ଚ୍ଚ ବହନ କରିବେ ।
ଏହାବାଦ ସହାୟକ ବାଣିଜ୍ୟକର ଓ ଦ୍ରବ୍ୟ ଓ ସେବାକର ଅଧିକାରୀଙ୍କ ନିମନ୍ତେ 596 ଟି ମଞ୍ଜୁରୀପ୍ରାପ୍ତ ପଦବୀ ରହିଛି । ଉପରୋକ୍ତ ନିୟମାବଳୀର ନିୟମ-5 ଅନୁସାରେ ଉକ୍ତ ପଦବୀର ମୋଟ 50 ପ୍ରତିଶତ ସିଧାସଳଖ ନିଯୁକ୍ତି ମାଧ୍ୟମରେ ଓ ବାକି 50 ପ୍ରତିଶତ ଚୟନ ମାଧ୍ୟମରେ ପୂରଣ କରାଯାଇଥାଏ ।
ଚୟନ ମାଧ୍ୟମରେ ପୂରଣ ହେବାକୁ ଥିବା ପଦବୀଗୁଡିକ ମଧ୍ୟରୁ 30 ପ୍ରତିଶତ ବାଣିଜ୍ୟକର ଓ ଜିଏସଟି କମିଶନର ତଥା ବିକ୍ରିକର ନ୍ୟାୟାଧ୍ଵିକରଣଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ସହାୟକ ଓ ବରିଷ୍ଠ ଆଶୁଲିପିକମାନଙ୍କ ନିମନ୍ତେ ଉଦ୍ଦିଷ୍ଟ । ବାକି 70 ପ୍ରତିଶତ ବାଣିଜ୍ୟକର ଓ ଜିଏସଟି କମିଶନରଙ୍କ ପ୍ରଶାସନିକ ନିୟନ୍ତ୍ରଣରେ ଥିବା ରେଞ୍ଜ ଓ ସର୍କଲରେ କାର୍ଯ୍ୟରତ ବରିଷ୍ଠ କିରାଣୀ ଓ ଷ୍ଟେନୋ ଗ୍ରାଫର (ଆଶୁ ଲିପିକ) ମାନଙ୍କ ଲାଗି ଉଦ୍ଦିଷ୍ଟ । ଉକ୍ତ ନିୟମାବଳୀର ନିୟମ-7 ଅନୁସାରେ ରେଞ୍ଜ ଓ ସର୍କଲରେ କାର୍ଯ୍ୟରତ ବରିଷ୍ଠ କିରାଣୀ ଓ ବରିଷ୍ଠ ଆଶୁଲିପିକମାନେ କ୍ରମାଗତ ଭାବେ 12 ବର୍ଷ କାର୍ଯ୍ୟ କରିସାରିଥିଲେ। ସେମାନେ ଚୟନ ମାଧ୍ୟମରେ ପଦୋନ୍ନତି ପାଇଁ ଯୋଗ୍ୟ ବିବେଚିତ ହେଉଥିଲେ । ବର୍ତ୍ତମାନ ନିୟମ 7 ର ଉପନିୟମ 1 ର ସଂଶୋଧନ କରି ଉକ୍ତ ଅବଧିକୁ 12 ବର୍ଷରୁ 10 ବର୍ଷକୁ କମାଇ ଦିଆଯିବାର ପ୍ରସ୍ତାବ ଅଛି ଓ କନିଷ୍ଠ କିରାଣୀ’ ଓ ‘ବରିଷ୍ଠ କିରାଣୀ’ ଶବ୍ଦଗୁଡିକ ବଦଳରେ ‘କନିଷ୍ଠ ସହାୟକ’ ଓ ‘ବରିଷ୍ଠ ସହାୟକ’ ଶବ୍ଦଗୁଡିକୁ ପ୍ରତିସ୍ଥାପିତ କରାଯାଇଛି । ନିୟମ 18 ର ପ୍ରତିସ୍ଥାପନ ଜରିଆରେ ସରକାରଙ୍କୁ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଉପରୋକ୍ତ ନିୟମାବଳୀକୁ ଆବଶ୍ୟକ ସ୍ଥଳେ ସଂଶୋଧନ କରିବାର କ୍ଷମତା ପ୍ରଦାନ କରିବାର ପ୍ରସ୍ତାବ ରହିଛି ।
ସେହିପରି ବରଗଡ ମୁଖ୍ୟ କେନାଲର ନବୀକରଣ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି । ହୀରାକୁଦ ସେଚାଞ୍ଚଳ ଅନ୍ତର୍ଗତ ବରଗଡ ମୁଖ୍ୟ କେନାଲର ଆରଡି ୦୦ କିମି ଠାରୁ ୮୪.୨୭୭ କିମି ପର୍ଯ୍ୟନ୍ତ ପୁନଃରୁଦ୍ଧାର ଓ ପୁନର୍ବିନ୍ୟାସ (ଆରଡି.୦୦ କିମି ଠାରୁ ୨୫.୦୦ କିମି ପର୍ଯ୍ୟନ୍ତ କଂକ୍ରିଟକରଣ) ପାଇଁ ଆହ୍ବାନ କରାଯାଇଥିବା ଟେଣ୍ଡର ଅନୁମୋଦନ ମିଳିଛି । ଏହି ପ୍ରକଳ୍ପ ନିମନ୍ତେ ୧୬୦,୩୩,୦୪,୬୦୩.୭୩ (ଏକ ଶହ ଷାଠିଏ କୋଟି ତେତିଶ ଲକ୍ଷ ଚାରି ହଜାର ଛଅ ଶହ ତିନି ଟଙ୍କା ତେସ୍ତରି ପଇସା) (GST ବ୍ୟତୀତ) ଟେଣ୍ଡରକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛନ୍ତି । ପ୍ରକଳ୍ପଟିକୁ ୨୪ (ଚବିଶ) ମାସ ମଧ୍ୟରେ ସଂପୂର୍ଣ୍ଣ କରିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ଉକ୍ତ ପ୍ରକଳ୍ପ ସଂପୂର୍ଣ୍ଣ ହେଲେ 04 ଜିଲ୍ଲା ଯଥା ସମ୍ବଲପୁର, ବରଗଡ, ସୁବର୍ଣ୍ଣପୁର ଓ ବଲାଙ୍ଗିରର ଖରିଫ ଋତୁରେ ୧,୩୦, ୨୩୫ ହେକ୍ଟର ଚାଷଜମି ଏବଂ ରବି ଋତୁରେ ୯୮,୯୫୮ ହେକ୍ଟର ଚାଷଜମିକୁ ସୁଚାରୁରୂପେ ଜଳଯୋଗାଇ ଦେବା ସହ ଉକ୍ତ ଅଞ୍ଚଳବାସୀଙ୍କ ସାମାଜିକ ତଥା ଆର୍ଥିକ ଅବସ୍ଥାର ଉନ୍ନତି ସାଧିତ ହେବ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ