ଭୁବନେଶ୍ବର: ବିନା ବିସ୍ଥାପନରେ ସୀମିତ ନଦୀ ଗର୍ଭରେ ବୃହତ ଜଳାଶୟ ସୃଷ୍ଟି ଲାଗି ରାଜ୍ୟ ସରକାର ୨୦୧୯-୨୦ ମସିହାରେ ୧୧୭୦୦ କୋଟି ଟଙ୍କା ବ୍ୟୟରେ "ନଦୀ ଗର୍ଭ ସୀମିତ ଜଳ ସଂରକ୍ଷଣ ଆନିକଟ ନିର୍ମାଣ” ପ୍ରକଳ୍ପର ଯୋଜନା କରିଛନ୍ତି । ଏହି ପ୍ରକଳ୍ପ ମାଧ୍ୟମରେ ଏକ ନଦୀ ଗର୍ଭ ସୀମିତ ଜଳ ସଂରକ୍ଷଣ ନିମନ୍ତେ ସୁନ୍ଦରଗଡ ଜିଲ୍ଲାର କୋପିସିଙ୍ଗାରେ ଗ୍ରାମ ନିକଟରେ ଏକ ଆନିକଟ ସେତୁ ନିର୍ମାଣ ହେବାର ପ୍ରସ୍ତାବ ରହିଛି । ଉକ୍ତ ପ୍ରକଳ୍ପରେ ଜଳ ଗର୍ଭସ୍ଥ ଯାନ୍ତ୍ରିକ କାର୍ଯ୍ୟ, ଶକ୍ତି ସଂଯୋଗୀକରଣ ତଥା ପ୍ରକଳ୍ପ ନିର୍ମାଣ ପରେ ଆଗାମୀ ପାଞ୍ଚ ବର୍ଷ , ଯେଉଁଟି ଅଧିକ ସେହି ସମୟ ପର୍ଯ୍ୟନ୍ତ ପ୍ରକଳ୍ପ ର ରକ୍ଷଣାବ୍ୟକ୍ଷଣ କାର୍ଯ୍ୟ ମଧ୍ୟ ଅନ୍ତର୍ଭୁକ୍ତ ।
ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଇଁ ୧,୫୨,୨୦,୦୦୦/- (ଏକ ଶହ ବାଉନ କୋଟି କୋଡିଏ ଲକ୍ଷ ଟଙ୍କା) (GST ବ୍ୟତିତ) ଓ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବ୍ୟକ୍ଷଣ ପାଇଁ ଟ.୮୦,୦୦,୦୦୦/- (ଅଶି ଲକ୍ଷ ଟଙ୍କା) (GST ବ୍ୟତିତ) ଟେଣ୍ଡରକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛନ୍ତି । ପ୍ରକଳ୍ପ ଟି ତିରିଶ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ । ଏହାବାଦ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ କ୍ୟାବିନେଟ ପୂର୍ବତନ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ନିମନ୍ତେ ଉଚ୍ଚଶିକ୍ଷା ବିଭାଗରୁ ନେଇଥିବା ଶିକ୍ଷା ଋଣର ସୁଧ ହାର ପରିବର୍ତ୍ତନ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ରାଜ୍ୟର ଗରିବ ଏବଂ ମେଧାବୀ ଛାତ୍ରଛାତ୍ରୀମାନଙ୍କ ଉଚ୍ଚଶିକ୍ଷାର ସୁବିଧା ପାଇଁ ଓଡିଶା ସରକାର ଅତୀତରେ “ଓଡିଶା ଲୋନ ଷ୍ଟାଇପେଣ୍ଡ ଫଣ୍ଡ"ରୁ ଋଣ ଆକାରରେ ଆର୍ଥିକ ସହାୟତା ଯୋଗାଇ ଆସୁଥିଲେ। ଏହି ପ୍ରକ୍ରିୟା ୧୯୫୪ ରୁ ୨୦୧୬ ମସିହା ପର୍ଯ୍ୟନ୍ତ ସାଧାରଣ, ବୈଷୟିକ ଏବଂ ବ୍ୟାବସାୟିକ ଶିକ୍ଷା ନିମନ୍ତେ ଦିଆଯାଉଥିଲା ।
ଧାର୍ଯ୍ୟ ସମୟ ମଧ୍ୟରେ ଋଣ ପରିଶୋଧ ନକଲେ ଋଣ ରାଜିନାମା ଅନୁଯାୟୀ ବାର୍ଷିକ ୧୦% ସୁଧ, ନିଯୁକ୍ତି ପାଇନଥିବା ଋଣ ଖୁଲାପିଙ୍କଠାରୁ ଓ ୧୫% ସୁଧ ନିଯୁକ୍ତି ପାଇଥିବା ଋଣ ଖୁଲାପିଙ୍କଠାରୁ ଆଦାୟ କରାଯିବା କଥା। ନିଯୁକ୍ତି ସ୍ଥିତି ବିଶେଷ ଭାବେ ଯାଞ୍ଚ ନକଲେ ସୁଧର ସ୍ତର ସହଜରେ ଧାର୍ଯ୍ୟ କରାଯାଇ ପାରିବନାହିଁ। ନିଯୁକ୍ତ ସ୍ଥିତିର ଯାଞ୍ଚ ପାଇଁ ବିଦ୍ୟାର୍ଥୀର ନିଯୁକ୍ତି ପ୍ରମାଣପତ୍ର, ଶିକ୍ଷା ସମାପ୍ତିର ବର୍ଷ, ଏସବୁ ବିଦ୍ୟାର୍ଥୀକୁ ମାଗିବା, ପରଖିବା ଓ ତା'ପରେ ସୁଧ ହାର ହିସାବ କରି ବିଦ୍ୟାର୍ଥୀକୁ ସୂଚିତ କରିବା, ଏ ସମସ୍ତ ପ୍ରକ୍ରିୟା ବହୁତ ଜଟିଳ ଓ ସମୟ ସାପେକ୍ଷ ହେଉଥିଲା।
ଉଚ୍ଚଶିକ୍ଷା ବିଭାଗ ଏବେ ନିଷ୍ପତ୍ତି ନେଇଛି ଯେ ନିଯୁକ୍ତି କିମ୍ବା ନିଯୁକ୍ତି ପାଇନଥିବା ବିଦ୍ୟାର୍ଥୀଙ୍କର ଋଣ ଉପରେ ୧୦% ସୁଧ ଧାର୍ଯ୍ୟ କରାଯିବ। ଏହାଦ୍ବାରା ବିଦ୍ୟାର୍ଥୀଙ୍କଠାରୁ ବିଭିନ୍ନ ପ୍ରମାଣପତ୍ର ମଗାଯାଇ ଯାଞ୍ଚ କରାଯିବାର ଆବଶ୍ୟକତା ପଡିବ ନାହିଁ। ବିଭାଗ ସମସ୍ତ ଋଣ ଖୁଲାପିଙ୍କର ଋଣ ଉପରେ ସୁଧର ପରିମାଣ ହିସାବ କରି ଏହାର 'ୱେବସାଇଟ’ରେ ସୂଚିତ କରିବ । ଯାହାଦ୍ଵାରା ଖିଲାପି ମାନେ ତାଙ୍କର ସମଗ୍ର ପରିମାଣ ଅର୍ଥ (ମୂଳ+ସୁଧ) ଏକାଥରେ ଅନଲାଇନରେ ଦେବେ ।
ଭୁବନେଶ୍ବର ସଞ୍ଜୀବ ରାୟ, ଇଟିଭି ଭାରତ