ଭୁବନେଶ୍ବର : ରାଜରାସ୍ତାରେ ଷ୍ଟାରଓ୍ବାର ବିବାଦ ଦିନକୁ ଦିନ ଉଗ୍ର ରୂପ ନେବାରେ ଲାଗିଛି । ମାମଲା ଏବେ ଥାନାରେ ବି ପହଞ୍ଚି ସାରିଛି । ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ପତ୍ନୀ ତୃପ୍ତିଙ୍କ ସହ ଓ୍ବାର ଭିଡିଓ ଭାଇରାଲ ପରେ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ବାବୁସାନ । ବାବୁସାନ ଏକ ଭିଡିଓରେ କହିଛନ୍ତି ଯେ, ସେ ପ୍ରକୃତିଙ୍କ ସହ ଆଗକୁ କୈଣସି ଫିଲ୍ମ କରିବେ ନାହିଁ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରେମମ୍ ଚଳଚ୍ଚିତ୍ରର ନିର୍ଦ୍ଦେଶକ ତାପସ ସରଗରିଆ।
‘ସେ କହିଛନ୍ତି ଯେ ବାବୁସାନ ଜଣେ ଭଲ ବିଚକ୍ଷଣ ଅଭିନେତା । ପ୍ରକୃତି ଜଣେ ଭଲ ଅଭିନେତ୍ରୀ । ଉଭୟ କାମକୁ ନେଇ ବେଶ ତତ୍ପର । ସୁଟିଂ ସେଟରେ ସେ ପ୍ରକୃତିଙ୍କ ସହ କାମ କରିବା ସମୟରେ ଏଭଳି କେବେ ଘଟିନାହିଁ । ଯେଉଁଥିରେ କି ବାବୁସାନଙ୍କର ସମ୍ପର୍କ ଏତେ ଘନିଷ୍ଠ ବୋଲି ଜଣାପଡ଼େନି । ବାବୁସାନ ବିଳମ୍ବରେ ଆସୁଥିଲେ। କିନ୍ତୁ ମଦ ପିଇ ସୁଟିଂ ସେଟକୁ ଆସୁଥିବା କଥାକୁ ମୁଁ ଗ୍ରହଣ କରୁନାହିଁ’ ।
‘ସୁଟିଂ ସମୟରେ ତାଙ୍କର ଦେହ ଖରାପ ହେଉଥିଲା । ଏହାକୁ ନେଇ ସେ ଟିକେ ମାନସିକ ଅବସାଦରେ ରହୁଥିଲେ। ଅନ୍ୟପଟେ ସେ ବହୁତ ପ୍ରଫେସନାଲ ଥିଲେ । ତେଣୁ ମୁଁ କୁହାକଥାକୁ ବିଶ୍ଵାସ କରିବି ନାହିଁ । ବାବୁସାନଙ୍କ ସ୍ତ୍ରୀ ଓ ପ୍ରକୃତିଙ୍କ ଭିତରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହା ଶୀଘ୍ର ସମଧାନ ହେଇଯାଉ । ସବୁ କଥାକୁ ମିଳିମିଶି ଅନୁଶୀଳନ କରି ଏଭଳି ଚର୍ଚ୍ଚାକୁ ବନ୍ଦ କରାଯାଉ । ଏଠାରେ ସମସ୍ତେ ଶିକ୍ଷିତ ଆଉ ଯଥେଷ୍ଟ ବୁଦ୍ଧିମାନ। ତେଣୁ ଘର କଳି ଏଭଳି ଦାଣ୍ଡରେ ଚର୍ଚ୍ଚା ନ କରି ଏହାର ପୂର୍ଣ୍ଣଛେଦ ପଡୁ’ ।
କାରଣ ବାବୁସାନ ପରି ଜଣେ ଭଲ ଅଭିନେତା ଓଡ଼ିଆ ସିନେମା ପାଇଁ ଆବଶ୍ୟକ । ଏଥିପାଇଁ ବ୍ୟକ୍ତିଗତ ଓ ବୃତ୍ତିଗତକୁ ଅଲଗା କରି ସମସ୍ତେ ତାଙ୍କର ପରିଶ୍ରମକୁ ଦେଖନ୍ତୁ ଆଉ ଭଲ ସିନେମା ନେଇ ଆସିବାକୁ ଉତ୍ସାହିତ କରନ୍ତୁ । ସେହିପରି ପ୍ରକୃତି ଓ ବାବୁ ଉଭୟ ନିଜ ଭବିଷ୍ୟତକୁ ନେଇ ବେଶ ଆଗକୁ ଯାଆନ୍ତୁ ବୋଲି ସେ କହିଛନ୍ତି ।
ଭୁବନେଶ୍ବର,ଇଟିଭି ଭାରତ