ଭୁବନେଶ୍ବର: ଓଡିଶାକୁ ମିଳିଲା କ୍ରୀଡାର ବିକାଶ ପାଇଁ ସର୍ବୋତ୍ତମ ରାଜ୍ୟ ସ୍ବୀକୃତି ମାନ୍ୟତା । ସ୍ପୋର୍ଟସ ଷ୍ଟାର କ୍ରୀଡା ପତ୍ରିକା ପକ୍ଷରୁ ମୁମ୍ବାଇରେ ଆୟୋଜିତ ପୁରସ୍କାର ଉତ୍ସବରେ ପ୍ରମୋସନ୍ ଅଫ୍ ସ୍ପୋର୍ଟ୍ସ ଷ୍ଟେଟ୍ ଅଫ୍ ଦ ଇୟର ୨୦୧୯ ପାଇଁ ଓଡ଼ିଶାକୁ ପ୍ରଥମ ସ୍ଥାନରେ ସମ୍ମାନିତ କରାଯାଇଛି ।
ହିନ୍ଦୁ ଗ୍ରୁପ ପକ୍ଷରୁ ପ୍ରଥମଥର ପାଇଁ କୌଣସି ରାଜ୍ୟକୁ ବିଭିନ୍ନ କ୍ରୀଡାକୁ ପ୍ରଚାର ପ୍ରସାର କରିବା କ୍ଷେତ୍ରରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ତେବେ ମୁଖ୍ୟମନ୍ତ୍ରୀ ପୁରସ୍କାର ଗ୍ରହଣ କରିବା ପରେ ନିଜ ଅଭିଭାଷଣରେ କହିଛନ୍ତି ଯେ, ମୁଁ ଭାବୁଛି, ଆଲମ୍ପିକ ପଦକ ମଞ୍ଚରେ ଭାରତୀୟ ଜାତୀୟ ସଂଗୀତ ବାଦନ ପାଇଁ ଆମକୁ ଆଉ ବେଶୀ ଦିନ ଅପେକ୍ଷା କରିବାକୁ ହେବ ନାହିଁ । ଏହି ସ୍ବୀକୃତି ପାଇଁ ସମ୍ମାନନୀୟ ଜୁରୀ ମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି ଏବଂ ଏହି ପୁରସ୍କାରକୁ ରାଜ୍ୟର ସାଢେ ଚାରି କୋଟି କ୍ରୀଡାପ୍ରେମୀ ଜନତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରୁଛି”।
ଖେଳ ପାଇଁ ଆପଣଙ୍କ ନିଷ୍ଠାପରତା ଆପଣଙ୍କୁ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ କରାଇବ। ରାଜନୀତିରେ ମଧ୍ୟ ଏକା କଥା । ପ୍ରତିଯୋଗିତା ମନୋଭାବ ହିଁ ଉଭୟ କ୍ଷେତ୍ରରେ ସଫଳତାର ଆଣିଦେଇଥାଏ । ଏହି ବିଷୟରେ ଏକ ସୁନ୍ଦର ଉଦାହରଣ ମୁଁ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,
ଆମେ ନିଷ୍ପତ୍ତି କଲୁ, ଯେ ଓଡିଶାରେ ସବୁ କଚା ଘରକୁ ଆମେ ପକ୍କା ଘରରେ ପରିଣତ କରିବୁ । ସାଧାରଣତଃ ଆମେ ୫ ବର୍ଷରେ ୫ ଲକ୍ଷ ଘର ନିର୍ମାଣ କରୁଥିଲୁ । ତେଣୁ ୫ ବର୍ଷରେ ୨୦ ଲକ୍ଷ ଘର ତିଆରି କରିବା ଆମ ପାଇଁ ଏକ ଆହ୍ବାନ ଥିଲା । ଏଥିପାଇଁ ଆମର ଫଳପ୍ରଦ କୌଶଳ ହେଲା, ଜିଲ୍ଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ସୃଷ୍ଟି କରି ସଫଳ ଜିଲ୍ଲା ମାନଙ୍କୁ ସ୍ବୀକୃତି, ପ୍ରତିଯୋଗିତାକୁ ଆହୁରି ଜୋରଦାର କଲା ।
ଯାହାର ଫଳ ସ୍ବରୂପ, ଆମେ ନିର୍ଦ୍ଦିଷ୍ଟ ସମୟରେ ରେକର୍ଡ ସଂଖ୍ୟକ ୨୦ ଲକ୍ଷ ଲୋକଙ୍କୁ ଆଶ୍ରୟ ନିରାପତ୍ତା ଦେଇପାରିଲୁ । କ୍ରୀଡାର ବିକାଶ ପାଇଁ ଏଭଳି ପୁରସ୍କାର ଆରମ୍ଭ କରିଥିବାରୁ, ଆଜି ମୁଁ ହିନ୍ଦୁ ଖବର କାଗଜକୁ ଅଭିନନ୍ଦନ ଜଣାଉଛି । ଏହା କ୍ରୀଡାର ବିକାଶ ପାଇଁ ରାଜ୍ୟ ମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତାମୂଳକ ପରିବେଶ ସୃଷ୍ଟି କରିବାରେ ସଫଳ ହେବ। ସହ ଆଗାମୀ ଦିନରେ ପ୍ରତିଯୋଗିତା ଅଧିକ ତୀବ୍ର ହେବ ବୋଲି ନବୀନ କହିଛନ୍ତି ।
ଭୁବନେଶ୍ବରରୁ ଅଜିତ କୁମାର, ଇଟିଭି ଭାରତ