ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପରେ ଆରମ୍ଭ ହେବ ପୌର ନିର୍ବାଚନ । ତେବେ ଚଳିତ ପୌର ନିର୍ବାଚନରେ କାର୍ଯ୍ୟକାରୀ ହେବାକୁ ଯାଉଛି NOTA(None Of The Above) । ପୂର୍ବରୁ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ମତଦାତାଙ୍କୁ ଏହି ବିକଳ୍ପ ଦିଆଯିବା ପାଇଁ କ୍ଷମତା ପ୍ରଦାନ କରାଯାଇନଥିଲା । ମାତ୍ର ସମ୍ବିଧାନ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଏହି କ୍ଷମତା ପ୍ରଦାନ କରାଯିବା ପରେ ଖୁବଶୀଘ୍ର ଏହି ନିୟମକୁ ଲାଗୁ କରାଯିବ ବୋଲି ଜଣାପଡ଼ିଛି ।
ସମ୍ବିଧାନର ଧାରା 243-ZA ମାଧ୍ୟମରେ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ପୌର ନିର୍ବାଚନ ଲାଗି ଅଧୀକ୍ଷକତାର କ୍ଷମତା(Power of Superintendence), ନିର୍ବାଚନ ତାଲିକା ପ୍ରସ୍ତୁତି ଏବଂ ପୌରସଂସ୍ଥାକୁ ପରିଚାଳନା ପାଇଁ କ୍ଷମତା ପ୍ରଦାନ କରାଯାଇଥିଲା । କିନ୍ତୁ ଓଡିଶା ମ୍ୟୁନିସିପାଲିଟି ଆକ୍ଟ, 1950 ଏବଂ ଓଡିଶା ମ୍ୟୁନିସିପାଲିଟି କର୍ପୋରେସନ୍ ଆକ୍ଟ, 2003 ଏବଂ ଏହାର ନିୟମ ଅନୁଯାୟୀ ଚୟନକର୍ତ୍ତାଙ୍କୁ NOTA (ଉପରୋକ୍ତ କୌଣସଟି ନୁହେଁ) ବିକଳ୍ପ ପ୍ରଦାନ କରିବାର କୌଣସି ବ୍ୟବସ୍ଥା ନ ଥିଲା । ମାତ୍ର ଭାରତର ନିର୍ବାଚନ ଆୟୋଗ ବିଧାନସଭା ଏବଂ ଲୋକସଭା ନିର୍ବାଚନ ପାଇଁ ଚୟନକର୍ତ୍ତାଙ୍କୁ NOTA ର ବିକଳ୍ପ ପ୍ରଦାନ କରିଥିଲେ ।
କିନ୍ତୁ ଚଳିତ ଥର ଏଥିରେ ପରିବର୍ତ୍ତନ କରାଯାଇଛି । ସମ୍ବିଧାନର ଧାରା e 243 ZA ଅନୁଯାୟୀ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଏହି କ୍ଷମତା ମିଳିଛି । ଯାହାଦ୍ବାରା ଚଳିତ ପୌର ନିର୍ବାଚନରେ ମତଦାତା ମାନେ NOTA (ଉପରୋକ୍ତ କୌଣସଟି ନୁହେଁ)ର ବିକଳ୍ପ ପାଇପାରିବେ । ସହରାଞ୍ଚଳରେ ସାଧାରଣ ନିର୍ବାଚନରେ ଏହି ନିୟମ ଲାଗୁ ହେବ । ମତଦାତାଙ୍କ ଲାଗି ଶେଷ ପ୍ରାର୍ଥୀଙ୍କ ପରେ ଏକ NOTAର ଏକ ସଙ୍କେତ ରହିବ । ମତଦାତାମାନେ ଏହି ବିକଳ୍ପକୁ ଚୟନ କରିପାରିବେ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ