ଭୁବନେଶ୍ବର: ମୌସୁମି ଅଧିବେଶନବେଳେ କେବଳ ଟିକା ନେଇଥିବା ବିଧାୟକ ହିଁ ବିଧାନସଭାରେ ପ୍ରବେଶ କରିବେ । ଯେଉଁମାନେ କୋରୋନା ଟିକା ଡବଲ ଡୋଜ ନେଇଛନ୍ତି, ସେହି ବିଧାୟକଙ୍କୁ ବିଧାନସଭାରେ ପ୍ରବେଶ ପାଇଁ ଅନୁମତି ମିଳିବ । ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।
ତେବେ ବିଧାନସଭାର ମୌସୁମୀ ଅଧିବେଶନ କେବେ ବସିବ ତାହା ସ୍ଥିର ହୋଇନାହିଁ । ହେଲେ ଅଧିବେଶନ ଆରମ୍ଭ ପୂର୍ବରୁ କେତେକ କଟକଣା ଜାରି କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଡବଲ ଡୋଜ ଟିକା ନେଇନଥିଲେ ମୌସୁମୀ ଅଧିବେଶନରେ ବିଧାୟକ ଓ ମନ୍ତ୍ରୀମାନେ ସାମିଲ ହୋଇପାରିବେନି । ଏହାକୁ ନେଇ ବାଚସ୍ପତି ସ୍ପଷ୍ଟୋକ୍ତି ଦେଇଛନ୍ତି । ଏଥିପାଇଁ ପ୍ରତ୍ୟେକ ବିଧାୟକଙ୍କୁ ଡବଲ ଡୋଜ ଟିକା ନେବାକୁ ସେ ଅପିଲ କରିଛନ୍ତି ।
କର୍ମଚାରୀ ଓ ସାମ୍ବାଦିକଙ୍କ ପାଇଁ ବି ନିୟମ ଲାଗୁ
କେବଳ ବିଧାୟକ ନୁହନ୍ତି, ବିଧାନସଭା ଗୃହର ଅନ୍ୟ କର୍ମଚାରୀ ଓ ସାମ୍ବାଦିକଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ । ରାଜ୍ୟ ସରକାର ଟିକାକରଣକୁ ଶତ ପ୍ରତିଶତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ସଂକ୍ରମଣ ଚେନକୁ ରୋକିବା ପାଇଁ ଏପରି ପ୍ରୟାସ କରିଛନ୍ତି ବାଚସ୍ପତି । କେବଳ ବିଧାୟକ, ମନ୍ତ୍ରୀ, ନୁହନ୍ତି ବିଧାନସଭା କର୍ମଚାରୀ, ସୁରକ୍ଷା କର୍ମଚାରୀ ଓ ସାମ୍ବାଦିକମାନଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ କରାଯିବ ବୋଲି ବାଚସ୍ପତି କହିଛନ୍ତି ।
ସୂଚନା ଅନୁସାରେ ବିହାର ବିଧାନସଭାର ବାଚସ୍ପତି ପ୍ରଥମେ ଏଭଳି ଘୋଷଣା କରିଥିଲେ । ଏହାପରେ ଓଡ଼ିଶାରେ ମଧ୍ୟ ଏହି ନିୟମ ଲାଗୁ କରିବ । କୋରୋନାରେ ପ୍ରଥମ, ଦ୍ବିତୀୟ ଲହରରେ ବହୁ ବିଧାୟକ ଓ ମନ୍ତ୍ରୀ ସଂକ୍ରମିତ ହୋଇଥିଲେ । କୋରୋନା ସଂକ୍ରମିତ ହୋଇ ପିପିଲି ବିଧାୟକ ପ୍ରଦୀପ ମହାରଥୀ ଦେହାନ୍ତ ମଧ୍ୟ ହୋଇଛି । ତେଣୁ ମୌସୁମୀ ଅଧିବେଶନ ପୂର୍ବରୁ ସବୁ କୋଭିଡ ନିୟମକୁ ମାନିବା ପାଇଁ ବାଚସ୍ପତି ଏପରି ନିର୍ଦ୍ଦେଶାନାମା ଜାରି କରିଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ