ଭୁବନେଶ୍ବର: ଗୃହ ବିଭାଗ ପକ୍ଷରୁ ଜାରି ହୋଇଛି ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଗାଇଡଲାଇନ । କେବଳ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ ନେଇ ହେବ ପରେଡ । ପରେଡରେ ସାମିଲ ହେବେନି ଛାତ୍ରଛାତ୍ରୀ ଏବଂ NCC କ୍ୟାଡେଟ । ଏନେଇ ସବୁ ଜିଲ୍ଲାପାଳ ଏବଂ ଏସ୍ପିଙ୍କୁ ଗୃହ ବିଭାଗ ପକ୍ଷରୁ ଚିଠି କରାଯାଇଛି ।
![Republic Day Guideline: ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ ନେଇ ହେବ ପରେଡ](https://etvbharatimages.akamaized.net/etvbharat/prod-images/od-bbsr-08-republic-day-7209787_11012022200501_1101f_1641911701_889.jpg)
ରାଜ୍ୟରେ ସଂକ୍ରମଣ ବଢ଼ିବାରେ ଲାଗିଛି । ସଂକ୍ରମଣକୁ ନଜର ପକାଇଲେ ଆସନ୍ତା କିଛି ଦିନ ଗୁରୁତ୍ୱପୂର୍ଣ୍ଣ । ସଂକ୍ରମଣ ସର୍ବାଧିକ ସ୍ତରକୁ ଯିବ । ତେଣୁ ଏହାକୁ ଦୃଷ୍ଟିରେ ରଖି ସାଧାରଣତନ୍ତ୍ର ଦିବସ ଲାଗି ଗାଇଡଲାଇନ ଜାରି କରିଛି ଗୃହ ବିଭାଗ । ଏନେଇ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛି ଗୃହ ବିଭାଗ । ସକାଳ 8.30 ପରେ ମୁଖ୍ୟ ଅତିଥି ପତାକା ଉତ୍ତୋଳନ କରିବେ । ଅଭିବାଦନ ଗ୍ରହଣ କରିବେ । କେବଳ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ ନେଇ ପରେଡ ଆୟୋଜନ କରାଯିବ । ପରେଡରେ ଛାତ୍ରଛାତ୍ରୀ ଏବଂ NCC କ୍ୟାଡେଟ ମାନଙ୍କୁ ସାମିଲ ନକରିବା ଲାଗି କୁହାଯାଇଛି ।
ସେହିପରି ସାଧାରଣ ଲୋକଙ୍କୁ କାର୍ଯ୍ୟକ୍ରମରେ ସାମିଲ ନକରିବାକୁ କୁହାଯାଇଛି । କୋଭିଡ଼ ଯୋଦ୍ଧାଙ୍କୁ ନେଇ କାର୍ଯ୍ୟକ୍ରମ କରାଯିବ । ଯେଉଁମାନେ କାର୍ଯ୍ୟକ୍ରମରେ ସାମିଲ ହେବେ ସେମାନେ କୋଭିଡ଼ ଗାଇଡ଼ ଲାଇନ ପାଳନ କରିବେ । ମାସ୍କ ପିନ୍ଧିବା ସହ କାର୍ଯ୍ୟକ୍ରମରେ ସାମିଲ ହେବା ପୂର୍ବରୁ ସାନିଟାଇଜ ହେବେ ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ