ଭୁବନେଶ୍ବର: ବାର୍ଡ ଫ୍ଲୁ ସଂକ୍ରମଣର ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀ ଓ ବନଖଣ୍ଡ ଅଧିକାରୀଙ୍କୁ ଏହାର ନିୟନ୍ତ୍ରଣ ଓ ନିରୀକ୍ଷଣ ପାଇଁ ସତର୍କ କରାଯାଇଛି । ବାର୍ଡ ଫ୍ଲୁ ସନ୍ଦେହ କରାଯାଉଥିବା ସ୍ଥାନକୁ ତୁରନ୍ତ ଗସ୍ତ କରିବା ନିମନ୍ତେ ରାଜ୍ୟ ସ୍ତରରେ 9ଟି ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଦଳ ଗଠନ କରାଯାଇଛି । ଏହାସହ ପ୍ରତି ଜିଲ୍ଲାରେ ମଧ୍ୟ 10 ରୁ 15ଟି ତ୍ବରିତ କାର୍ଯ୍ୟକାରୀ ଦଳ ଗଠନ କରିବା ପାଇଁ ସମସ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପଟେ ରାଜ୍ୟରେ ବାର୍ଡ ଫ୍ଲୁ ସଂକ୍ରମଣର ଭୟ ନଥିବା କହିଛି ପଶୁ ସମ୍ପଦ ବିଭାଗ । ଉତ୍ପାଦିତ କୁକୁଡା ମାଂସ ଓ ଅଣ୍ଡା ଖାଇବା ସମୟରେ ଭଲ ଭାବେ ସିଝାଇ ଖାଇବାକୁ ପରାମର୍ଶ ଦେବା ସହ ଲୋକମାନଙ୍କୁ ନ ଡରିବାକୁ ପଶୁ ସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି ।
ତେବେ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ 120ଟି କୁକୁଡାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର ପାଇ ରାଜ୍ୟସ୍ତରୀୟ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଦଳ ଓ ଜିଲ୍ଲାସ୍ତରୀୟ ତ୍ବରିତ କାର୍ଯ୍ୟକାରୀ ଦଳର ସଦସ୍ୟମାନେ ତୁରନ୍ତ ସେଠାରେ ପହଞ୍ଚି କାର୍ଯ୍ୟ ଆରମ୍ଭ କରିଛନ୍ତି । ମୃତ କୁକୁଡାଙ୍କ ମଧ୍ୟରୁ 5ଟି କୁକୁଡାଙ୍କୁ ପରୀକ୍ଷଣ ନିମନ୍ତେ ପ୍ରାଣୀରୋଗ ଗବେଷଣା ପ୍ରତିଷ୍ଠାନ ଅଣାଯାଇ ଟେଷ୍ଟ କରାଯାଇଛି । ମାତ୍ର 5ଟି ଯାକ ନମୁନା ନେଗେଟିଭ ରହିଛି । ମୃତ କୁକୁଡାଗୁଡିକୁ ଗଭୀର ଗାତରେ ବିଶୋଧନ ପ୍ରୟୋଗ କରି ପୋତାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ