ଭୁବନେଶ୍ବର: ନୂଆବର୍ଷରେ ନନ୍ଦନକାନନରେ ଭିଡ। ବର୍ଷର ପ୍ରଥମ ଦିନକୁ ଆନନ୍ଦ ଉଲ୍ଲାସରେ କଟେଇବା ପାଇଁ ନନ୍ଦନକାନନରେ ଲାଗିଥିଲା ପର୍ଯ୍ୟଟକଙ୍କ ଭିଡ। ସମୟ ଯେତିକି ବଢୁଥିଲା ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଥିଲା। ଆଜି ନନ୍ଦନକାନନକୁ 36 ହଜାର ପର୍ଯ୍ୟଟକ ବୁଲିବାକୁ ଆସିଥିବା ବେଳେ ଆୟ ହୋଇଛି 15 ଲକ୍ଷ 50 ହଜାର ଟଙ୍କା। ଏନେଇ ସୂଚନା ଦେଇଛନ୍ତି ନନ୍ଦନକାନନର ଉପ ନିର୍ଦ୍ଦେଶକ ଜୟନ୍ତ ଦାସ।
ଅନ୍ୟପଟେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରତିବର୍ଷ ନନ୍ଦନକାନନକୁ ଆସିଥାନ୍ତି ନୂଆ ଅତିଥି । ଏବର୍ଷ ମଧ୍ୟ 3 ପ୍ରଜାତିର ମାଙ୍କଡ ଓ ଧୂସର ଗଧିଆ ସହ ଦୁଇଟି ବାଘ ଶାବକଙ୍କୁ ଅଣାଯାଇଛି । ଏଥର ପ୍ରାଣୀ ଉଦ୍ୟାନର ମୁଖ୍ୟ ଆକର୍ଷଣ ପାଲଟିଛି ଆନାକୋଣ୍ଡା ସାପ । ଯାହାକୁ ଦେଖିବା ପାଇଁ ଲାଗୁଛି ପର୍ଯ୍ୟଟକଙ୍କ ଭିଡ ।
ନଜର ପକାନ୍ତୁ, ନୂଆବର୍ଷରେ ଆସିଥିବା ପର୍ଯ୍ୟଟକଙ୍କ ସଂଖ୍ୟା ଉପରେ, ଆଜି ନନ୍ଦନକାନନକୁ 36 ହଜାର ପର୍ଯ୍ୟଟକ ଆସିଥିବା ବେଳେ ଗତବର୍ଷ ଆସିଥିଲେ 43 ହଜାର 7ଶହ ପର୍ଯ୍ୟଟକ । ସେହିପରି 2017 ନୂଆବର୍ଷରେ ଆସିଥିଲେ ସର୍ବାଧିକ 50ହଜାର 748 ପର୍ଯ୍ୟଟକ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ