ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଲେ ରାଜ୍ୟର ନବ ନିଯୁକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ବର୍ତ୍ତମାନ ସେ ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ବରେ ମଧ୍ୟ ରହିଛନ୍ତି।
ଶ୍ରୀମନ୍ଦିରରେ ପହଞ୍ଚିବା ପରେ ବିଭିନ୍ନ ନିଯୋଗ ପକ୍ଷରୁ ତାଙ୍କୁ ଖଣ୍ଡୁଆ ପାଟ ସହ ସ୍ବାଗତ କରାଯାଇଥିଲା। ସୁରେଶ ମହାପାତ୍ର ଓ ତାଙ୍କ ପତ୍ନୀ ଚତୁର୍ଦ୍ଧା ମୂର୍ତ୍ତୀଙ୍କୁ ଦର୍ଶନ କରିଥିଲେ। ଏହାପରେ ସେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା। ଏହି ସମୟରେ ପୁରୀ ଜିଲ୍ଲାପାଳଙ୍କ ସହ ବହୁ ପଦାଧିକାରୀ ଉପସ୍ଥିତ ରହିଥିଲେ।
ଆଜି (ଶୁକ୍ରବାର) ସୁରେଶ ମହାପାତ୍ରଙ୍କୁ ନୂଆ ମୁଖ୍ୟ ଶାସନ ସଚିବ ଭାବରେ ଦାୟିତ୍ବ ନେବେ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟରୁ ପ୍ରେସବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଥିଲା। ସେହିପରି ସେ ମୁଖ୍ୟ ଉନ୍ନୟନ କମିଶନର ଅତିରିକ୍ତ ଦାୟିତ୍ବରେ ରହିବେ।
ମୁଖ୍ୟ ଶାସନ ସଚିବ ଥିବା ଅସିତ କୁମାର ତ୍ରିପାଠୀ ଆସନ୍ତା 31ରେ ଅବସର ନେଉଛନ୍ତି। ଅବସର ପରେ ତାଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ଏଥିସହିତ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଞ୍ଚଳିକ ବିକାଶ, ପର୍ଯ୍ୟଟନ, କୃଷି ବ୍ୟବସାୟ ଓ ଶିଳ୍ପ ପାଇଁ ପ୍ରମୁଖ ଉପଦେଷ୍ଟା ଦାୟିତ୍ବରେ ରହିବେ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ