ଭୁବନେଶ୍ବର: ଜାତୀୟ ସଙ୍କଟ ପରିଚାଳନା କମିଟି (ଏନସିଏମସି)ର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ବସିଥିଲା ଏନସିଏମସି ବୈଠକ । ବୈଠକରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମୁକାବିଲା ପାଇଁ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ବୈଠକରେ ଉପସ୍ଥିତ ଥିଲେ । ରାଜ୍ୟର ବାତ୍ୟା ମୁକାବିଲା ପ୍ରସ୍ତୁତିର ତଥ୍ୟ ମୁଖ୍ୟ ଶାସନ ସଚିବ ଉପସ୍ଥାପନ କରିଛନ୍ତି ।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ ବଙ୍ଗୋପସାଗରରେ ଅବପାତର ସ୍ଥିତି ବିଷୟରେ କମିଟିକୁ ସୂଚନା ଦେଇଥିଲେ । ଯାହା ଆଜି ସନ୍ଧ୍ୟାରେ ଘୂର୍ଣ୍ଣିବଳୟରେ ପରିଣତ ହୋଇଛି । ସେପ୍ଟେମ୍ବର ୨୬ ସନ୍ଧ୍ୟା ସୁଦ୍ଧା ୭୫ରୁ ୮୫ କିଲୋମିଟର ବେଗରେ ଏବଂ ସ୍ଥଳ ଭାଗରେ ଘଣ୍ଟାପ୍ରତି ୯୫ କିଲୋମିଟର ବେଗରେ ପବନ ଏବଂ ପ୍ରବଳ ବର୍ଷା ହେବ । ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି । ଏହା ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍, ବିଜୟନଗରମ୍ ଏବଂ ବିଶାଖାପାଟନମ୍ ଏବଂ ଓଡିଶାର ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ।
ବୈଠକରେ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ମୁଖ୍ୟ ଶାସନ ସଚିବ ବାତ୍ୟା ପ୍ରଭାବରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ନିଆଯାଉଥିବା ପ୍ରସ୍ତୁତି ସମ୍ପର୍କରେ କମିଟିକୁ ଅବଗତ କରାଇଛନ୍ତି । ଏହା ସହିତ ଟେଲିଯୋଗାଯୋଗ ଏବଂ ଶକ୍ତି ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ଗୁଡିକର ସର୍ବନିମ୍ନ କ୍ଷତି ପହଞ୍ଚାଇବା ପାଇଁ ନିଆଯାଉଥିବା ପଦକ୍ଷେପର ସୂଚନା ଦେଇଛନ୍ତି । ଓଡ଼ିଶା ଓ ଆନ୍ଧ୍ରରେ ଏନ୍ଡିଆରଏଫ୍ର ୧୮ଟି ଟିମ୍ ନିୟୋଜିତ ହୋଇଛି । ଏବଂ ଅତିରିକ୍ତ ଦଳ ମଧ୍ୟ ପ୍ରସ୍ତୁତ ଅଛି । ଜାହାଜ ଏବଂ ବିମାନ ସହିତ ସେନା ଏବଂ ନୌସେନାର ଉଦ୍ଧାରକାରୀ ଏବଂ ରିଲିଫ ଦଳ ମଧ୍ୟ ନିୟୋଜିତ ହୋଇଛନ୍ତି ।
ପ୍ରସ୍ତୁତି ପଦକ୍ଷେପ ସମୀକ୍ଷା କରି ରାଜୀବ ଗୌବା କହିଛନ୍ତି ଯେ, ଘୂର୍ଣ୍ଣିଝଡ ଲ୍ୟାଣ୍ଡଫଲ ହେବା ପୂର୍ବରୁ ରାଜ୍ୟ ସରକାରଙ୍କ ସଂପୃକ୍ତ କର୍ତ୍ତୃପକ୍ଷ ତଥା କେନ୍ଦ୍ରର ସଂପୃକ୍ତ ଏଜେନ୍ସି ଗୁଡିକ ଦ୍ୱାରା ସମସ୍ତ ପ୍ରତିଷେଧକ ତଥା ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବା ସହିତ ମୃତ୍ୟୁ ସଂଖ୍ୟାକୁ ଶୂନ ପାଖାପାଖି ରଖିବା ଏବଂ ସମ୍ପତ୍ତି ଏବଂ ଭିତ୍ତିଭୂମିର କ୍ଷତି କମ୍ କରିବାକୁ ପଦକ୍ଷେପ ନିଆଯିବା ଉଚିତ୍ । କ୍ୟାବିନେଟ ସଚିବ ରାଜ୍ୟ ସରକାରଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସମସ୍ତ କେନ୍ଦ୍ରୀୟ ଏଜେନ୍ସି ପ୍ରସ୍ତୁତ ଏବଂ ସହାୟତା ପାଇଁ ଉପଲବ୍ଧ ହେବେ ।
ଏହି ବୈଠକରେ ଓଡିଶା ଏବଂ ଆନ୍ଧ୍ରପ୍ରଦେଶର ମୁଖ୍ୟ ସଚିବ, ଗୃହ ଓ ଶକ୍ତି ମନ୍ତ୍ରଣାଳୟର ସଚିବମାନେ ଯୋଗ ଦେଇଥିଲେ । ବୈଠକରେ ସଦସ୍ୟ (ଟେଲିକମ୍), ଡିଜି ଏନଡିଆରଏଫ, ଡିଜି ଆଇଏମଡି, ସିଆଇଏସସି ଆଇଡିଏସ୍ ଏବଂ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିିଭି ଭାରତ