ଭୁବନେଶ୍ବର: ଭୁବନେଶ୍ବରରେ କୃଷି ଓ ଗ୍ରାମୀଣ ବିକାଶ ରାଷ୍ଟ୍ରୀୟ ବ୍ୟାଙ୍କ–ନାବାର୍ଡର ୪୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ନାବାର୍ଡର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ପ୍ରତିଷ୍ଠା ଦିବସ ଉତ୍ସବରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟର କୃଷି ବିକାଶରେ ନାବାର୍ଡର ଅବଦାନ ସମ୍ପର୍କରେ ଆଲୋକପାତ କରିଛନ୍ତି ।
ମନ୍ତ୍ରୀ କହିଛନ୍ତି, ୨୦୨୧–୨୨ରେ ନାବାର୍ଡ ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି- RIDF ଅଧୀନରେ ରାଜ୍ୟକୁ ୪ହଜାର କୋଟି ଟଙ୍କା ପ୍ରଦାନ କରିଛି । ଚଳିତ ଆର୍ଥିକ ବର୍ଷ RIDF ଅଧୀନରେ ରାଜ୍ୟ ନାବାର୍ଡ ନିକଟରୁ ୬ହଜାର କୋଟି ଟଙ୍କା ଆବଶ୍ୟକ କରୁଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ଏହାଛଡ଼ା ଓଡ଼ିଶା ଅନେକ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବାରୁ ଏ ଦିଗରେ ସହାୟତା ଓ ଋଣ ଯୋଗାଣ ଉପରେ ନାବାର୍ଡ ଗୁରୁତ୍ଵ ଦେବା ଆବଶ୍ୟକ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ସେହିପରି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି, ରାଜ୍ୟରେ ଚାଷୀ ତଥା କୃଷିକ୍ଷେତ୍ର ବିକାଶରେ ନାବାର୍ଡର ଭୂମିକା ବେଶ ଗୁରୁତ୍ଵପୂର୍ଣ୍ଣ ରହିଛି । ଏ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅର୍ଥ ସଚିବ ଏକେ ମୀନା, କୃଷି ଉତ୍ପାଦନ କମିଶନର ସଞ୍ଜୀବ ଚୋପ୍ରା, ଆର୍ବିଆଇ ଆଞ୍ଚଳିକ ନିର୍ଦ୍ଦେଶକ ଏଚ୍ଏନ୍ ପଣ୍ଡା, ନାବାର୍ଡ ସିଜିଏମ୍ ସି.ଉଦୟ ଭାସ୍କରଙ୍କ ସମେତ ବହୁ ବ୍ୟାଙ୍କର ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର