ଭୁବନେଶ୍ବର: ସିଆରପି ଛକରେ ବିଭତ୍ସ ହତ୍ୟାକାଣ୍ଡ । ଦିନ ଦ୍ବିପ୍ରହରରେ ଭୁବନେଶ୍ବର ସିଆରପି ଛକରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ପୂର୍ବ ଶତୃତାକୁ ନେଇ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଥିବା ବେଳେ ନୟାପଲ୍ଲୀ ପୋଲିସ ଘଟଣାରେ 2 ଅଭିଯୁକ୍ତକୁ ଅଟକ ରଖିଛି । ଏପଟେ ହତ୍ୟାକାଣ୍ଡର ସମ୍ପୂର୍ଣ୍ଣ ଘଟଣାବଳୀ ବଖାଣିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ।
ଡିସିପିଙ୍କ ସୂଚନା ଅନୁଯାୟୀ, ଶନିବାରଏକ ପିକଅକ ଭ୍ୟାନରେ ସୁଧୀର, ସାଗର ଏବଂ ଟୁକୁନା ନାମକ ତିନିଜଣ ବ୍ୟକ୍ତି ଆସୁଥିଲେ। ସିଆରପି ଛକ ଏଣ୍ଟ୍ରିରେ ହଠାତ ଗାଡିରେ ଥିବା ସୁଧୀର ଏବଂ ସାଗର ଗାଡିରୁ ଓହ୍ଲାଇ ଭୁଜାଲିରେ ଗାଡି ଭିତରେ ଥିବା ଟୁକୁନାକୁ ଆକ୍ରମଣ କରିଥିଲେ। ଯେଉଁଥିରେ ଟୁକୁନାଙ୍କର ଘଟଣା ସ୍ଥଲରେ ମୃତ୍ୟୁ ଘଟିଛି।
ତେବେ ଲୋକଙ୍କ ସମ୍ମୁଖରେ ଭୁଜାଲିରେ ଏପରି ଆକ୍ରମଣ ପରେ ହତ୍ୟା ଦେଖି ସ୍ଥାନୀୟ ଲୋକେ ତାତି ଯାଇଥିଲେ। ଏପରିକି ହତ୍ୟାକାରୀ ଦୁଇ ଅଭିଯୁକ୍ତଙ୍କୁ ସେହିଠାରେ କିଛି ଲୋକ ପିଟିଥିଲେ। ପରେ ସେମାନେ ଚମ୍ପଟ ମାରିଥିଲେ। ପୋଲିସ ଓ ସ୍ଥାନୀୟ ଲୋକେ ଗୋଡାଇ ସେହି ଦୁଇଜଣଙ୍କୁ କାବୁ କରିଥିଲେ।
ଲୋକେ ପୋଲିସ ପହଞ୍ଚିବା ପରେ ସେହି ଦୁଇ ଜଣଙ୍କୁ ନିଜ ହେପାଜତରେ ନେଇ ଯିବାବେଳେ ଉତ୍ୟକ୍ତ ଲୋକେ ପିସିଆରକୁ ଆକ୍ରମଣ କରିଥିଲେ। କାରଣ ରାଜଧାନୀରେ ଏପରି ଆଇନଶୃଙ୍ଖଳା ବ୍ୟବସ୍ଥା ଦେଖି ଏପରି ଘଟଣାକୁ ନେଇ ତୀବ୍ର ବିରୋଧ କରିଥିଲେ ଲୋକେ। ତେବେ ଘଟଣା ସ୍ଥଳରେ ଡିସିପି ପହଞ୍ଚି କହିଛନ୍ତି ହତ୍ୟାକାଣ୍ଡର କାରଣ ଜଣାପଡିନାହିଁ।
ଭୁବନେଶ୍ବରରୁ ତାପସ ପରିଡା ଓ ଦେବସ୍ମିତା ରାଉତ, ଇଟିଭି ଭାରତ