ଭୁବନେଶ୍ବର: ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ ୧୧୪ ପୌରାଞ୍ଚଳରେ ୨୭ ସେପ୍ଟେମ୍ବରରୁ ୩ ଅକ୍ଟୋବର ପର୍ଯ୍ୟନ୍ତ ଆଜାଦି କା ଅମୃତ ମହୋତ୍ସବ ସପ୍ତାହ ପାଳନ କରାଯାଇଛି । ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ବିଶେଷକରି ସ୍ବଚ୍ଛ ସାଥୀମାନଙ୍କ ଦ୍ବାରା ପରିମଳ କାର୍ଯ୍ୟକ୍ରମ, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ସିଟି / ପିଟି ସଫେଇ ଏବଂ ଡିଜିଟାଲ ମନିଟରିଂ ମାଧ୍ୟମରେ ନାଗରିକଙ୍କ ମତାମତ, ମିଶନ ଶକ୍ତିର ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ଆବର୍ଜନାକୁ ପ୍ରସ୍ତୁତ କଳାକୃତିର ପ୍ରଦର୍ଶନ, ରାଲି, ୱାର୍ଡ ସ୍ବଚ୍ଛତା ଅଭିଯାନ, ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ସ୍ବଚ୍ଛ ଓଡିଶା ସୁସ୍ଥ ଓଡିଶା’ ଆହ୍ବାନକୁ କାର୍ଯ୍ୟକାରୀ ଲାଗି ମିଶନ ଶକ୍ତିର ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ମନୋନୀତ ସ୍ବଚ୍ଛ କର୍ମୀ, ସ୍ବଚ୍ଛ ସାଥୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ପରିମଳ କର୍ମଚାରୀଙ୍କ କାର୍ଯ୍ୟକୁ ସମ୍ମାନ ଦେବା ଏବଂ ସେମାନଙ୍କର ଅବଦାନକୁ ଚିହ୍ନିବା ପାଇଁ “ବଡାଖାନା” ସହିତ ସମସ୍ତ ୧୧୪ ପୌରସଂସ୍ଥା ଦ୍ବାରା ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ପୌରସଂସ୍ଥା ଗୁଡିକ ବଡାଖାନାକୁ ସଂଗଠିତ କରନ୍ତି ଯାହା ଗୃହ ଓ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ନିୟମିତ ବ୍ୟବଧାନରେ ସମସ୍ତ ପରିମଳ କର୍ମଚାରୀ ଏବଂ ପୌରସଂସ୍ଥାର ଅଧିକାରୀମାନଙ୍କୁ ଏକ ଅନୌପଚାରିକ ଭାବରେ ଏକତ୍ର କରିଥାଏ ।
ବଡାଖାନା ପୌରସଂସ୍ଥା ଦ୍ବାରା ପରିମଳ ଶୃଙ୍ଖଳାରେ ଥିବା ବିଭେଦକୁ ଦୂର କରିଥାଏ । କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ଅଧିକାରୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ପରିମଳ କର୍ମଚାରୀଙ୍କୁ ଖାଦ୍ୟ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବରିଷ୍ଠ ଅଧିକାରୀ, ବିଭାଗର ପ୍ରତିନିଧି, ପରିମଳ ବିଜେତା ସ୍ବଚ୍ଛ ଆମ୍ବାସଡରମାନେ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମରେ ସମୁଦାୟ ୨୫ ହଜାର ୬୭୩ ପରିମଳ କର୍ମଚାରୀଙ୍କୁ ଉତ୍ସାହିତ କରାଯାଇଥିଲା । ଏହାସହ ସମସ୍ତ ପୌର ସଂସ୍ଥାକୁ ଟୋକନ ଭାବେ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ପରିମଳ କର୍ମଚାରୀମାନେ ଖୁସି ବ୍ୟକ୍ତ କରିଛନ୍ତି ଏବଂ ରାଜ୍ୟର ପୌରସଂସ୍ଥା ଦ୍ବାରା କରାଯାଇଥିବା ଏହି ର୍ନିଦ୍ଦିଷ୍ଟ କାର୍ଯ୍ୟକଳାପରେ ଉତ୍ସାହିତ ହୋଇପଡିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ