ପୁରୀ: ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ କାର୍ଯ୍ୟ ନେଇ ସମାଲୋଚନା ସମ୍ପର୍କରେ ସ୍ପଷ୍ଟୀକରଣ ଦେଲେ ପୁରୀ ସାଂସଦ ପିନାକୀ ମିଶ୍ର । ସାଂସଦ ପିନାକୀ ମିଶ୍ର ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ କାର୍ଯ୍ୟ ନେଇ ସଂସଦରେ ଭୁଲ ତଥ୍ୟ ଦେବା ନେଇ ବିରୋଧୀ ତାଙ୍କୁ ଘେରି ଥିବା ବେଳେ ବିଭିନ୍ନ ସଂଗଠନ ପକ୍ଷରୁ ସାଂସଦ ପିନାକୀ ମିଶ୍ରଙ୍କ ବିରୋଧରେ ବିକ୍ଷୋଭ କରିଛନ୍ତି । ତୁରନ୍ତ ପିନାକୀ ମିଶ୍ର ଭୁଲ ମାଗିବା ସହ ସଠିକ ତଥ୍ୟ ଦେବାକୁ ଦାବି ହୋଇଥିଲା। ବିଭିନ୍ନ ମହଲରୁ କଡା ବିରୋଧ ପରେ ପୁରୀ ଏମପି ପିନାକୀ ମିଶ୍ର ମୁହଁ ଖୋଲିଛନ୍ତି ।
ପିନାକୀ କହିଛନ୍ତି ସେ କୌଣସି ଭୂଲ ତଥ୍ୟ ଦେଇ ନାହାଁନ୍ତି । ଯଦି କୌଣସି ସଂଗଠନର ଅଭିଯୋଗ ରହିଛି ଲୋକସଭା ବାଚସ୍ପତିଙ୍କୁ ଅଭିଯୋଗ କଲେ ସେ ଏହାର ଉଚିତ ଜବାବ ରଖିବେ ବୋଲି ପିନାକୀ କହିଛନ୍ତି । ବିଜେପିର କିଛି ସମର୍ଥକ ଏହି ପ୍ରତିବାଦ ଜାଣିଶୁଣି ତାଙ୍କ ବିରୋଧରେ କରିଥିବା ସେ ଅଭିଯୋଗ କରିଛନ୍ତି । ସେହିପରି କିଛି ଗଣମାଧ୍ୟମ ଯେଉଁଭଳି କିଛି ରାଜନୈତିକ ଵ୍ୟକ୍ତି ବିଶେଷଙ୍କ ଇସାରାରେ ତାଙ୍କ ବିରୋଧରେ ସମ୍ବାଦ ପରିବେଷଣ କରୁଛନ୍ତି ତାକୁ ନେଇ ମଧ୍ୟ ପିନାକୀ କଡା ସମାଲୋଚନା କରିଛନ୍ତି ।
ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରରେ କୌଣସି ବେଆଇନ କାମ ହୁଏନାହିଁ । ଗତ 2021 ସେପ୍ଟେମ୍ବର 4 ରେ ASI ରୁ NOC ମିଳିବା ପରେ ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ମାର୍ଗର କାର୍ଯ୍ୟ ହେଉଥିବା କହିଛନ୍ତି । ତେବେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଭିତରେ ଭକ୍ତଙ୍କ ପାଇଁ ବିଶ୍ରାମ ଓ ପ୍ରତୀକ୍ଷା ଗୃହ, ଯାତ୍ରୀଙ୍କ ଜିନିଷ ରଖିବା ପାଇଁ ଗୃହ , ସେବାୟତ , ଭକ୍ତଙ୍କ ପାଇଁ ଶୌଚାଳୟ, ବିଦ୍ୟୁତ ଗୃହ ଆଦି ନିର୍ମାଣ ହେବ । ତେବେ ASI ପକ୍ଷରୁ ଅନୁମତି ଥିବା ଶୌଚାଳୟ କାର୍ଯ୍ୟ ଆରମ୍ଭ ହୋଇଛି । ଭକ୍ତଙ୍କ ପାଇଁ ପ୍ରତୀକ୍ଷା ଗୃହ , ଜିନିଷ ପତ୍ର ରଖିବା ଗୃହ ନିର୍ମାଣ ନେଇ ଅନୁମତି ଆସିବା ପରେ କାମ ହେବ ବୋଲି ପୁରୀ ଏମପି କହିଛନ୍ତି।
ଏଣୁ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ କୌଣସି ବେଆଇନ କାର୍ଯ୍ୟ ରାଜ୍ୟ ସରକାର କରୁନଥିବା ପିନାକୀ ମିଶ୍ର ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ