ଭୁବନେଶ୍ବର: ସମ୍ପଦ କେନ୍ଦ୍ର ଏବଂ ଜୈବିକ ଖତ କେନ୍ଦ୍ର ମାନଙ୍କରେ ବ୍ୟବହୃତ ହେଉଥିବା ସରଞ୍ଜାମ ଗୁଡିକର ହେବ ରକ୍ଷଣାବେକ୍ଷଣ ଓ ମରାମତି । ଏହା ସହିତ ନିରନ୍ତର ବର୍ଜ୍ୟବସ୍ତୁ ପରିଚାଳନା ହେବ । ସରଞ୍ଜାମର ରକ୍ଷଣାବେକ୍ଷଣ ଓ ମରାମତି କରିବେ ରାଜ୍ୟର କୁଶଳୀ କାରିଗର । ତେବେ ଏଥିଲାଗି ପୌରସଂସ୍ଥା ଏବଂ ITI ମଧ୍ୟରେ ଆଜି(ଗୁରୁବାର) ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି । ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଓ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ଉପସ୍ଥିତିରେ ଏହି ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି ।
ପୌର ପ୍ରଶାସକ ସଂଗ୍ରାମଜିତ ନାୟକ ଓ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରେଘୁ ଜି ଏହି ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି । ରାଜ୍ୟର ୧୧୪ ଟି ପୌରାଞ୍ଚଳରେ ପ୍ରତିଷ୍ଠା କରାଯାଇଥିବା ସମ୍ପଦ କେନ୍ଦ୍ର ଏବଂ ଜୈବିକ ଖତ କେନ୍ଦ୍ର ମାନଙ୍କରେ ବ୍ୟବହୃତ ହେଉଥିବା ସରଞ୍ଜାମ ଗୁଡିକର ରକ୍ଷଣା ବେକ୍ଷଣ ଓ ମରାମତି ସହିତ ନିରନ୍ତର ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ସମସ୍ତ ପୌରସଂସ୍ଥା ଗୁଡିକ ଏବଂ ୩୩ ଗୋଟି ଆଇ.ଟି.ଆଇ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି ।
୫-ଟି ଆଧାରରେ ବିଗତ କିଛି ବର୍ଷ ମଧ୍ୟରେ ସହରାଚଂଳ ମାନଙ୍କରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସମ୍ପଦ କେନ୍ଦ୍ର ପ୍ରତିଷ୍ଠା, ମାଇକ୍ରୋ କମ୍ପୋଷ୍ଟ କେନ୍ଦ୍ର ପ୍ରତିଷ୍ଠା ଏବଂ ମିଶନ ଶକ୍ତିର ମହିଳା ସ୍ବୟଂସହାୟକ ଗୋଷ୍ଠୀମାନଙ୍କ ଦ୍ବାରା ଏହି ସବୁ କେନ୍ଦ୍ର ଗୁଡିକର ପରିଚାଳନା କରାଇ ଓଡି଼ଶା ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହୋଇଛି । ଏହି ସବୁ କେନ୍ଦ୍ରଗୁଡିକର ସୁପରିଚାଳନା ପାଇଁ ବ୍ୟାଟେରି ଚାଳିତ ଗାଡି ଓ ଅନ୍ୟାନ୍ୟ ଯନ୍ତ୍ରପାତିର ଆବଶ୍ୟକତା ରହିଛି । ସେହି ସବୁ ଗାଡି ଓ ଯନ୍ତ୍ରପାତି ଗୁଡିକର ନିୟମିତ ରକ୍ଷଣାବେକ୍ଷଣ ଜରୁରୀ ଯାହା ସେହି କମ୍ପାନୀମାନେ ଠିକ୍ ସମୟରେ ଏବଂ ସ୍ଥାନୀୟ ଭାବେ ଯୋଗାଇବା ସମ୍ଭବ ହେଉନାହିଁ । ଏହି ସବୁ ଗାଡି ଏବଂ ଯନ୍ତ୍ରପାତି ଗୁଡିକର ରକ୍ଷଣାବେକ୍ଷଣକୁ ସହଜ କରିବା ପାଇଁ ଆମର ନଗର ଉନ୍ନୟନ ବିଭାଗ ଏବଂ ଦକ୍ଷତା ବିକାଶ ଓ ବୈଷୟୀକ ଶିକ୍ଷା ବିଭାଗର ନିର୍ଦ୍ଦେଶାଳୟ ସ୍ଥରରେ ବୁଝାମଣା ସ୍ବାକ୍ଷରିତ ହୋଇଛି ।
ସେହିପରି ରାଜ୍ୟରେ ଥିବା ସମସ୍ତ ପୌରାଞ୍ଚଳ ଓ ITIମାନଙ୍କ ମଧ୍ୟରେ ମଧ୍ୟ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି । ନିଜସ୍ବ ଉପଲବ୍ଧ ସମ୍ବଳରେ ଏହି ବ୍ୟବସ୍ଥା କରାଯିବା ସହିତ ITI ଗୁଡିକର ସ୍ଥାୟୀ ଆର୍ଥିକ ଆୟ ହୋଇପାରିବ । ଏହି କାର୍ଯ୍ୟକ୍ରମ ଅବସରରେ ରାଜ୍ୟର ୧୧୪ ପୌରାଞ୍ଚଳ ସହିତ ୩୩ଟି ITI ସହବନ୍ଧିତ ହୋଇଛନ୍ତି । ଜିଲ୍ଲା ସ୍ତରରେ ଜିଲ୍ଲାପାଳମାନଙ୍କ ଉପସ୍ଥିତିରେ ମୁନିସପାଲିଟି ଓ NACଗୁଡିକର ନିର୍ବାହୀ ଅଧିକାରୀ, ମହାନଗର ନିଗମଗୁଡିକର କମିଶନର କିମ୍ବା ତାଙ୍କ ପ୍ରତିନିଧିମାନେ ITI ଅଧ୍ୟକ୍ଷମାନଙ୍କ ସହିତ ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି ।
ଏହା ଫଳରେ ରାଜ୍ୟର ସହରାଞ୍ଚଳ ମାନଙ୍କରେ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିପାରିବ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନ 'ସ୍ବଚ୍ଛ ଓଡିଶା ସୁସ୍ଥ ଓଡିଶା'କୁ ସାକାର କରାଯାଇପାରିବ । କାର୍ଯ୍ୟକ୍ରମରେ ଉଭୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ