କେନ୍ଦୁଝର: ଭୟଙ୍କର ରୂପ ନେଉଛି ମହାମାରୀ କୋରୋନା । କୋଭିଡର ଦ୍ଵିତୀୟ ଲହର ଯୋଗୁଁ ପ୍ରତ୍ୟେକ ଦିନ କେନ୍ଦୁଝରରେ ଶତାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଦୈନିକ ହାରାହାରି 3 ଜଣଙ୍କର ମୃତ୍ୟୁ ହେଉଛି । ଏଭଳି ସ୍ଥିତିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ସଚେତକ ମୋହନ ମାଝୀ ।
କେନ୍ଦୁଝର ଜିଲ୍ଲାରେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ପ୍ରତିଷ୍ଠା କରିବା ଲାଗି ଧର୍ମେନ୍ଦ୍ରଙ୍କୁ ଅନୁରୋଧ କରିଛନ୍ତି ମୋହନ । ମହାମାରୀ କୋରନା ମହାରୂପ ଧାରଣ କଲାଣି । ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାରେ ଏହା ସାଙ୍ଘାତିକ ସମସ୍ୟା ସୃଷ୍ଟି କରିଛି । ପ୍ରତ୍ୟେକ ଦିନ ଜିଲ୍ଲାରେ ଶତାଧିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ହାରାହାରି 3 ଜଣଙ୍କର ମୃତ୍ୟୁ ହେଉଛି । ତେଣୁ ଜିଲ୍ଲାରେ ଏକ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲର ଆବଶ୍ୟକତା ରହିଛି । ଜିଲ୍ଲାର କଳେବର ବଡବିଲରୁ ଆରମ୍ଭ କରି ଯାଜପୁର ଜିଲ୍ଲା ସୀମା ପର୍ଯ୍ୟନ୍ତ ପାଖାପାଖି ଦୁଇଶହ କିଲୋମିଟର । ବଡବିଲ, ଯୋଡା ଓ ବାଂଶପାଳ ଅଂଚଳ ସମେତ ଜିଲ୍ଲାର ବହୁ ସଂଖ୍ୟକ ଗ୍ରାମ ଅନେକାଂଶରେ ଆଜିବି ଅପହଞ୍ଚ ।
‘‘ସଂପ୍ରତି କେନ୍ଦୁଝର ଜିଲ୍ଲାରେ କୋଭିଡ଼ରେ ଆକ୍ରାନ୍ତ ରୋଗୀଙ୍କ ଦୁର୍ଦ୍ଦଶା ଅବର୍ଣ୍ଣନୀୟ । ଏହା ହଠାତ୍ ଲୋକଙ୍କୁ ଗୁରୁତର କରି ପକାଇବାର ଅନେକ ଘଟଣା ମୋ ନଜରକୁ ଆସିଲାଣି । କେନ୍ଦୁଝର ସଦର ମହକୁମାରେ ଏକମାତ୍ର ଡିଏମ୍ଏଫ୍ ପରିଚାଳିତ କୋଭିଡ୍ ଡାକ୍ତରଖାନା ରହିଛି । ଯାହା ଏବେ ସଂପୂର୍ଣ୍ଣ ଅବ୍ୟବସ୍ଥିତ । ଏହି ଚିକିତ୍ସାଳୟରେ ଆବଶ୍ୟକ ସଂଖ୍ୟକ ଡାକ୍ତର ଓ ପାରାମେଡିକ କର୍ମଚାରୀ ନାହାନ୍ତି ।’’
ତେଣୁ କେନ୍ଦୁଝର ଜିଲ୍ଲାରେ ଏକ ସ୍ଵତନ୍ତ୍ର ସ୍ୱୟଂସଂପୂର୍ଣ୍ଣ ସ୍ଥାୟୀ କୋଭିଡ ଡାକ୍ତରଖାନା ନିର୍ମାଣ କରିବାର ଆବଶ୍ୟକତା ରହିଛି । ଏ ନେଇ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଛନ୍ତି ବିଜେପି ବିଧାୟକ ତଥା ବିରୋଧୀ ଦଳ ସଚେତକ ମୋହନ ମାଝୀ । ଭାରତ ସରକାରଙ୍କ ଦ୍ଵାରା ପ୍ରତିଷ୍ଠିତ ବିଭିନ୍ନ ଉଦ୍ୟୋଗ ମାନଙ୍କ ଜରିଆରେ ଯଥାଶୀଘ୍ର ଏକ କୋଭିଡ୍ ଉତ୍ସର୍ଗୀକୃତ ଡାକ୍ତରଖାନା ପ୍ରତିଷ୍ଠା କରିବା ପାଇଁ ମୋହନ ଅନୁରୋଧ କରିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ