ଭୁବନେଶ୍ବର: ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ, ୟୁନିସେଫ୍ ଏବଂ ଭାରତ ଜ୍ଞାନ ବିଜ୍ଞାନ ସମିତି, ଶିକ୍ଷାସନ୍ଧାନର ମିଳିତ ସହଯୋଗରେ ପ୍ରାଚୀନ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ସଂଯୋଗ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଦୁର୍ଗମ, ଅପହଞ୍ଚ କୋରୋନା ସଂକ୍ରମିତ ଅଞ୍ଚଳରେ ଛାତ୍ରଛାତ୍ରୀମାନଙ୍କୁ ନିରନ୍ତର ଶିକ୍ଷାଦାନ ସହିତ ସେମାନେ ଯେଭଳି ଅଧାରୁ ପାଠ ନ ଛାଡ଼ିବେ ସେଥିପାଇଁ ଏହି ବିକଳ୍ପ ଶିକ୍ଷା ବ୍ୟବସ୍ଥା କରାଯାଇଛି ।
କୋଭିଡ୍-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ସ୍କୁଲ ବନ୍ଦ ରହୁଥିବାରୁ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ବିକଳ୍ପ ବ୍ୟବସ୍ଥା କରାଯାଇଛି । କୋରୋନା ଯୋଗୁଁ ସ୍କୁଲ ବନ୍ଦ ରହିଛି । ଅନ୍ଲାଇନ୍ କ୍ଲାସ୍ ହେଉଛି । ମାତ୍ର କେତେକ ଅଞ୍ଚଳରେ ସ୍ମାର୍ଟ ଫୋନ୍ ଓ ଇଣ୍ଟରନେଟ୍ ସଂଯୋଗ ଅଭାବରୁ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ ଶିକ୍ଷାଲାଭରୁ ବଞ୍ଚିତ ହେଉଛନ୍ତି । ସ୍କୁଲ ସଂଯୋଗ କାର୍ଯ୍ୟକ୍ରମ ଜରିଆରେ ଗ୍ରାମ୍ୟମାଣ ବିଦ୍ୟାଳୟ ଭ୍ୟାନ ବ୍ୟବସ୍ଥା କରାଯାଇଛି । ଏହି ପଦକ୍ଷେପ ଦ୍ଵାରା ସଂକ୍ରମିତ ଅଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀମାନେ ନିରନ୍ତର ଶିକ୍ଷାଲାଭ କରିପାରିବେ । ପିଲାମାନଙ୍କ ପାଠପଢ଼ାରେ ଏହି ସୁଦୃଶ୍ୟ ଭ୍ୟାନ୍ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।
ଏହି ଶିଶୁ ଉପଯୋଗୀ ଶିକ୍ଷା ଉପକରଣ ଯଥା, ଅଡ଼ିଓ ଭିଜୁଆଲ ଉପକରଣ, ପ୍ରଥମରୁ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟପୁସ୍ତକ, ବିଜ୍ଞାନ କିଟ୍, ସ୍ପୋଟର୍ସ କିଟ୍ ଓ ସ୍ଵାସ୍ଥ୍ୟବିଜ୍ଞାନ ଶିକ୍ଷା କିଟ୍ ଉପଲବ୍ଧ । ଏହି ଗ୍ରାମ୍ୟମାଣ ସ୍କୁଲ ଭ୍ୟାନ ଦୁର୍ଗମ ଅଞ୍ଚଳରେ ଆନନ୍ଦରେ ଶିକ୍ଷାଲାଭ କରିବାକୁ ସୁଯୋଗ ଆଣିଦେବ । ଏଥିସହ ପ୍ରଶିକ୍ଷିତ ସ୍ୱେଚ୍ଛାସେବୀମାନେ ଖୋଲା ସ୍ଥାନରେ କୋଭିଡ୍ ମାର୍ଗଦର୍ଶିକାର ସଠିକ୍ ଅନୁପାଳନ କରି ଶିକ୍ଷାଦାନ କରିବେ । ପ୍ରତ୍ୟେକ ଶିକ୍ଷାଦାନ ଅଧିବେଶନ ଦୁଇ ଘଣ୍ଟା ଚାଲିବ । ସ୍କୁଲ ସଂଯୋଗ କାର୍ଯ୍ୟକ୍ରମ ମୋବାଇଲ୍ ସ୍କୁଲ ଇନ୍ ଭ୍ୟାନ୍ ପିଜିଟିଭ ଅଞ୍ଚଳର ଜନଜାତି ସମ୍ପ୍ରଦାୟର ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୪୦ ହଜାର ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିପାରିବ ବୋଲି ଲକ୍ଷ୍ୟ ରଖାଯାଇଛି । ଓଡ଼ିଶାର ୧୦ଟି ଜିଲ୍ଲା କେନ୍ଦୁଝର, ଯାଜପୁର, ମୟୂରଭଞ୍ଜ, ଅନୁଗୋଳ, ଗଜପତି, ରାୟଗଡ଼ା, କଳାହାଣ୍ଡି, ମାଲକାନଗିରି, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାର ପ୍ରାୟ ଏକ ହଜାର ଗ୍ରାମର ପିଲାମାନଙ୍କ ପାଖରେ ଏହି ଭ୍ୟାନ୍ ପହଞ୍ଚିବ । ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଭୁବନେଶ୍ୱର ଠାରେ ଗତ 27 ରେ ସ୍କୁଲ ସଂଯୋଗ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ