ଭୁବନେଶ୍ବର: ଜନସାଧାରଣଙ୍କ ପାଖରେ ସରକାରୀ ବ୍ୟବସ୍ଥା ପହଞ୍ଚାଇବା ରାଜ୍ୟ ସରକାରଙ୍କ ‘ମୋ ସରକାର ଓ 5ଟି ଅଭିଯାନ’ର ମୂଳ ଉଦ୍ଦେଶ୍ୟ । ସରକାରଙ୍କ ପ୍ରତି ବିଭାଗ ଓ ପ୍ରତି ସେବା ଅନଲାଇନରେ ବ୍ୟବସ୍ଥା ମାଧ୍ୟମରେ ଉପଲବ୍ଧ ହେବ । ତେଣୁ ରାଜ୍ୟ ସରକାର ପ୍ରତି ଗାଁରେ ଇଣ୍ଟରନେଟ ବ୍ୟବସ୍ଥା କରୁଛନ୍ତି । ଯେଉଁ ଅଞ୍ଚଳ ଇଣ୍ଟରନେଟର ସମସ୍ୟା ରହିଛି, ସେହି ପଞ୍ଚାୟତରେ ଖୋଲିବ ମୋ ସେବା କେନ୍ଦ୍ର । ପଞ୍ଚାୟତ ପ୍ରତିନିଧିଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଏନେଇ ସୂଚନା ଦେଇଛନ୍ତି ସୂଚନା ପ୍ରଯୁକ୍ତି ବିଦ୍ୟା ଓ ବିଜ୍ଞାନ କାରିଗରୀ କୌଶଳ ସଚିବ ମନୋଜ ମିଶ୍ର ।
ସଚିବ କହିଛନ୍ତି ଯେ, ‘ରାଜ୍ୟ ସରକାର ପ୍ରତ୍ୟେକ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଇଣ୍ଟରନେଟର ସଂଯୋଗ ସହ ‘ମୋ ସେବା କେନ୍ଦ୍ର’ ସ୍ଥାପନ କରିବାକୁ ଗୁରୁତ୍ୱ ଦେଉଛନ୍ତି । ସାଧାରଣ ଲୋକ ସରକାରୀ ବିଭାଗ ସହ ଯୋଡିବା ସହ ଗୋଟିଏ ଛାତ ତଳେ ଅବାଧ ଡିଜିଟାଲ ସେବା ଯୋଗାଇବାକୁ ଲକ୍ଷ୍ୟ ରକ୍ଷା ଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ 'ମୋ ସେବା କେନ୍ଦ୍ର' ସ୍ଥାପନ ଚାଲିଛି । ସରକାରଙ୍କ 5T ପଦକ୍ଷେପର ଏକ ଅଂଶ ଭାବରେ ଲୋକଙ୍କୁ ଉନ୍ନତ ସେବା ପ୍ରଦାନ ନିଶ୍ଚିତ କରିବାକୁ ସମସ୍ତ ଗ୍ରାମପଞ୍ଚାୟତରେ ଏହା ଖୋଲା ଯାଉଛି । ପ୍ରାୟ 4 ହଜାରରୁ ଅଧିକ ମୋ ସେବା କେନ୍ଦ୍ର ସ୍ଥାପନ ହୋଇଛି ।’
ମୋ ସରକାର କାର୍ଯ୍ୟକ୍ରମରେ 43ଟି ସରକାରୀ ବିଭାଗର ପ୍ରାୟ 4 ଶହ ସେବା ମିଳୁଛି । ଇଣ୍ଟରନେଟ ସେବା ପାଇଁ ଭାରତ ନେଟ କାର୍ଯ୍ୟକ୍ରମ ଫେଜ 1ଟି ଉପକୂଳ ଜିଲ୍ଲାମାନଙ୍କରେ ସମ୍ପୂର୍ଣ୍ଣ ହୋଇ ସାରିଛି । ପଶ୍ଚିମ ଓ ଦକ୍ଷିଣାଞ୍ଚଳ ଜିଲ୍ଲା ପାଇଁ ଭାରତ ନେଟ ଫେଜ 2 କାମ ଚାଲିଛି । ଫାଇବର ଅପ୍ଟିକାଲ ବିଛା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଲାଣି । ଆଗାମୀ ଦିନରେ ପ୍ରତି ଗ୍ରାମ ପଞ୍ଚାୟତରେ ବ୍ରଡବ୍ୟାଣ୍ଡ ସୁବିଧା ଯୋଗାଇ ଦିଆଯିବ । ପ୍ରତି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଭିସି ସୁବିଧା ସହିତ ବହୁମୁଖୀ ଡିଜିଟାଲ୍ ରୁମ୍ ସୃଷ୍ଟି ହେବ । ଯାହା ଦ୍ୱାରା ଲୋକମାନେ ସରକାରଙ୍କ ସହ ଯୋଡି ହୋଇପାରିବେ । ଡିଜିଟାଲ୍ ରୁମରେ ତାଲିମ ଏବଂ ଛାତ୍ରମାନଙ୍କ ପାଇଁ ଅନଲାଇନ୍ କ୍ଲାସ୍ ପାଇଁ ବ୍ୟବହୃତ ହେବ ।
2023 ଶେଷ ସୁଦ୍ଧା ମୋବାଇଲ୍ କନେକ୍ଟିଭିଟି ବହୁତ ଭଲ ହେବ । ମାଓ ପ୍ରଭାବିତ ଅଞ୍ଚଳରେ 480 ଟାୱାର ବ୍ୟବସ୍ଥା ସହ 3993ଟି ଗାଁକୁ ଇଣ୍ଟରନେଟ ସଂଯୋଗ ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି । ମୋବାଇଲ୍ ଟାୱାର ଅପରେଟରମାନଙ୍କୁ NOC ପ୍ରଦାନ କରିବା ସହ ସହଯୋଗ କରିବାକୁ ସଚିବ ପଞ୍ଚାୟତ ପ୍ରତିନିଧିଙ୍କୁ ଅନୁରୋଧ କରିଛନ୍ତି । ମୋ ସେବା କେନ୍ଦ୍ର ଏବଂ ଡିଜିଟାଲ୍ ଭିସି ରୁମ ପାଇଁ ପଞ୍ଚାୟତ କାର୍ଯ୍ୟାଳୟରେ ସ୍ଥାନ ସୃଷ୍ଟି କରିବାକୁ ସେ ସଦସ୍ୟମାନଙ୍କୁ ଅନୁରୋଧ କରିଛନ୍ତି ।