ଭୁବନେଶ୍ବର: ଗଣେଶ ପୂଜା ସହିତ ଆରମ୍ଭ ହୋଇଛି ପାର୍ବଣ ଋତୁ । ପୂଜା ପୂର୍ବରୁ ରାଜଧାନୀରେ ମାତିଲେଣି ଲୁଟେରା । ଲକ୍ଷ୍ମୀସାଗର ଥାନା ନିକଟରେ ଜଣେ ମହିଳାଙ୍କ ଶରୀରରେ ମାରଣାସ୍ତ୍ର ଲଗାଇ ଲୁଟେରା ମାନେ ATM କାର୍ଡ ସମେତ ୮ ହଜାର ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି ।
ଗତ କିଛି ଦିନ ମଧ୍ୟରେ ରାଜଧାନୀରେ ଏଭଳି ଏକାଧିକ ଘଟଣା ସାମନାକୁ ଆସିଛି । ଦିବାଲୋକରେ ଲୁଟ କରି ପୋଲିସକୁ ଖୋଲାଖୋଲି ଚାଲେଞ୍ଜ ଦେଇଛନ୍ତି ଅପରାଧୀ । ଲକ୍ଷ୍ମୀସାଗର ଥାନା ଝାରପଡା ବ୍ରିଜ୍ ନିକଟ ଗୋଲେଇ ଛକରେ ଲୁଟର ଶିକାର ହୋଇଛନ୍ତି ମହିଳା । ପରିବା ବ୍ୟବସାୟ କରୁଥିବା ମହିଳା ଜଣକ ଟଙ୍କା ନେଇ ୪ନମ୍ବର ହାଟକୁ ପରିବା ପାଇଁ ଯାଉଥିବା ବେଳେ ଲୁଟେରା ମାନେ ତାଙ୍କୁ ଟାର୍ଗେଟ କରିଥିଲେ । ଆଗ ଓ ପଛରୁ ଦୁଇଟି ବାଇକରେ ଆସି ୪ଜଣ ଦୁର୍ବୃତ୍ତ ଘଟାଇଛନ୍ତି ଲୁଟର କାରନାମା ।
ମହିଳାଙ୍କ ନିକଟରୁ ୮ ହଜାର ଟଙ୍କା, ୨ଟି ATM ଲୁଟ କରି ଫେରାର ହୋଇଛନ୍ତି । ତେବେ ଏନେଇ ଏ ନେଇ ଲକ୍ଷ୍ମୀ ସାଗର ଥାନାରେ ଏତଲା ଦେଇଛନ୍ତି ମହିଳା । ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଲୁଟେରାମାନେ ଖାଲି ରାସ୍ତାରୁ ନୁହେଁ କାହାର ଘରେ ପଶିଲେଣି ତ କାହାର ଗ୍ରୀଲ ଓ କବାଡ଼ ତାଡି ଚୋରି କରୁଛନ୍ତି । ଏପରିକି ଘର ବାହାରୁ ପାଣି ମିଟରଠୁ ଆରମ୍ଭ କରି ଘରର ଏସି ତାର ବି ଛିଣ୍ଡାଇ ଦେଉଥିବା ଦେଖିବାକୁ ମିଳିଛି ।
ଏହା ବି ପଢନ୍ତୁ- ପୂଜା ପୂର୍ବରୁ ମାତିଲେଣି ଚୋର, ରାଜଧାନୀରେ ଖେଳିଲାଣି ଭୟର ଆତଙ୍କ
ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଚୋରମାନେ ଅଧିକ ମାତିଛନ୍ତି । ଗତ ୨୬ ତାରିଖ ରାତିରେ ଲକ୍ଷ୍ମୀସାଗର ଥାନା ଓସ୍କାର ସିଟିରୁ ସିରିଜ ଚୋରି କରିଥିଲେ ଚୋର । ଘର ବାହାରେ ଲାଗୁଥିବା ଓ୍ବାଟକୋର ପାଣି ମିଟରକୁ ଚୋରି କରି ନେଉଛନ୍ତି । ଏପରିକି ଜଣେ କି ୨ ଜଣ ନୁହେଁ ଏକାଧିକ ଲୋକଙ୍କ ଘରେ ମିଟର ଲାଗିବାର ୬ ଦିନ ନ ପୁରୁଣୁ ଏଭଳି ଆତଙ୍କ ଖେଳାଇଛନ୍ତି ଚୋର । ଚୋରି ସମୟର ଚିତ୍ର ସିସିଟିଭି କ୍ୟାମେରାରେ କଏଦ ହେବା ପରେ ଘଟଣା ସାମନାକୁ ଆସୁଛି ।
କେବଳ ଏହି ଅଞ୍ଚଳ ନୁହେଁ ବଡ଼ଗଡ଼ ଥାନା ଅଞ୍ଚଳର ପତିତପାବନ ନଗର, ସହିଦନଗରର ଜଗନ୍ନାଥ ନଗର, ମଞ୍ଚେଶ୍ବରର ଜିଜିପି କଲୋନୀ ସମେତ ଅଞ୍ଚଳରେ ଏଭଳି ନିତିଦିନ ଚୋରି ହେଉଥିବାର ଅଭିଯୋଗ ଆସୁଛି । ସେହିପରି ଧଉଳି ଥାନା ଲିଙ୍ଗିପୁର ଅଞ୍ଚଳରେ ମଧ୍ୟ ୨ଦିନ ତଳେ ୪ଜଣ ଚୋର ଘରେ ପଶୁଥିବାର ସିସିଟିଭିରେ କଏଦ ହୋଇଥିଲା । ପ୍ରତିବର୍ଷ ପାର୍ବଣ ଋତୁରେ ରାଜଧାନୀରେ ଏଭଳି ଘଟଣା ସାମନାକୁ ଆସୁଛି । ତେବେ ଚଳିତ ବର୍ଷ ଏ ଦିଗରେ ପୋଲିସ କଣ ପଦକ୍ଷେପ ନେବ ତାହା ଦେଖିବାକୁ ବାକି ରହିଲା ।
ଇଟିଭି ଭାରତ, ଭୁବନେଶ୍ବର