ଭୁବନେଶ୍ବର: ରାଜଧାନୀରେ ହତ୍ୟା । ମଞ୍ଚେଶ୍ବର ଥାନା ମୁଣ୍ଡାସାହି ବିଏମସିର ଟ୍ରିଟମେଣ୍ଟ ପ୍ଲାଣ୍ଟ ନିକଟରେ ଘଟିଛି ଵିଭତ୍ସ ହତ୍ୟାକାଣ୍ଡ । ମୃତ ଯୁବକ ଜଣଙ୍କ ହେଉଛନ୍ତି ମୁକେଶ ଚୌଧୁରୀ ଏବଂ ତାଙ୍କ ବୟସ ୩୦ ବର୍ଷ ହେବା ନେଇ ସୂଚନା । ଖବର ପାଇ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନାନୁଯାୟୀ, ବଲିଉଡ ଫିଲ୍ମ ଦୃଶ୍ୟମ ପରି ମୁକେଶଙ୍କୁ ହତ୍ୟା କରିଛନ୍ତି ଦୁବୃର୍ତ୍ତ । ହତ୍ୟା ପରେ ସିମେଣ୍ଟ ଇଟାରେ କବର ଦେଇଥିଲେ ହତ୍ୟାକାରୀ । ମୁକେଶ ଚୋରି ମାମଲାରେ ଜେଲ ଯାଇ ଫେରିଥିବା ବେଳେ ଚୋରି ଭାଗବଣ୍ଟାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସଦେହ କରୁଛି ପୋଲିସ । ଏନେଇ ମୁକେଶ ଜେଲରେ କାହା ସହ ମିଶିଥିଲା କିଭଳି ଏଠାରେ ଆସି ବସାଉଠା କରୁଥିଲା ସେ ନେଇ ଅଧିକ ଛାନଭିନ କରୁଛି ସାଇଣ୍ଟିଫିକ ଟିମ ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ସକାଳ ୯ଟା ସମୟରେ କିଛି ଶ୍ରମିକ ଆସି ଦେଖିବାକୁ ପାଇଥିଲେ ଟ୍ରିଟମେଣ୍ଟ ପ୍ଲାଣ୍ଟ ମଧ୍ୟରେ କିଛି ଇଟା ସିମେଣ୍ଟରେ କବର ଦେଲା ଭଳି ମୃତଦେହକୁ ପ୍ୟାକିଂ କରାଯାଇଛି। ଏନେଇ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ବସ୍ତିରେ ନଜର ରଖିବାକୁ ବସ୍ତି ଚାଲ ଅଭିଯାନ ଚଳାଇଥିବା ବେଳେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ