ଭୁବନେଶ୍ବର: ସ୍କୁଲ ଭିତରେ ଶିକ୍ଷୟିତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ଅସଦାଚରଣ ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପ୍ରତିକ୍ରିୟା ରଖିଛନ୍ତି । ଏହି ଘଟଣାରେ ବାଲେଶ୍ବର ଡିଇଓଙ୍କୁ ମଗାଯାଇଥିବା ରିପୋର୍ଟ ଆସିଛି ।
ତଦନ୍ତ ରିପୋର୍ଟରେ ଅଭିଯୋଗର ସତ୍ୟତା ନଥିବା ମନ୍ତ୍ରୀ କହିଛନ୍ତି । ବିଦ୍ୟାଳୟରେ ସୁସ୍ଥ ପରିବେଶ ପାଇଁ ପ୍ରଧାନଶିକ୍ଷକଙ୍କ ସମେତ ଅଭିଯୋଗକାରିଣୀ ଶିକ୍ଷୟିତ୍ରୀ ଓ ଜଣେ ସହକାରୀ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି ।
ବାଲିଆପାଳର ଜାଠିଆସ୍ଥିତ କୃଷ୍ଣଭାନୁ ହାଇସ୍କୁଲରେ ଶିକ୍ଷୟିତ୍ରୀଙ୍କୁ ପ୍ରଧାନଶିକ୍ଷକ ଅସଦାଚରଣ କରୁଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁସାରେ, ସ୍କୁଲର ପ୍ରଧାନଶିକ୍ଷକ ୮-୯ ମାସ ହେଲା ଖରାପ ବ୍ୟବହାର କରୁଥିଲେ । ବାରମ୍ବାର ଫୋନ କରିବା ଓ ତାଙ୍କ କଥା ମାନିଯିବା ପାଇଁ ଧମକ ଦେଉଥିଲେ । ସ୍କୁଲ ଭିତରେ ଏକୁଟିଆ ପାଇଲେ ଅଶ୍ଳୀଳ ଇଙ୍ଗିତ ସହ ଅସଦାଚରଣ କରିବାକୁ ବି ପଛାଉନାହାଁନ୍ତି ବୋଲି ଶିକ୍ଷୟିତ୍ରୀ ଅଭିଯୋଗ କରିଥିଲେ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ