ଭୁବନେଶ୍ବର: ବିଏମସି ହସ୍ପିଟାଲକୁ ଅଚାନକ ପରିଦର୍ଶନ କଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ଡାକ୍ତରଖାନାର ପ୍ରକୃତ ସ୍ଥିତିକୁ ପରଖିବାକୁ ଅଚାନକ ଗସ୍ତ କରିଥିଲେ ମନ୍ତ୍ରୀ ପ୍ରତାପ ଜେନା । ତେବେ ସଠିକ ସେବା ଓ ମାଗଣା ମେଡିସିନ ମିଳୁଛି ନା ନାହିଁ ସେନେଇ ରୋଗୀଙ୍କ ଠାରୁ ପଚାରି ବୁଝିଛନ୍ତି ମନ୍ତ୍ରୀ ଜେନା ।
ଡାକ୍ତରଖାନା ପରିଦର୍ଶନ ପରେ ପ୍ରତାପ ଜେନା ସୂଚନା ଦେଇଛନ୍ତି ଯେ, ଏହି ଡାକ୍ତରଖାନା ଅର୍ବାନ ବିଭାଗ ଅନ୍ତର୍ଗତ । ଏହାକୁ ସ୍ବାସ୍ଥ୍ୟ ବିଭାଗର ଅନ୍ତର୍ଗତ କରିବାର ଯୋଜନା କରାଯାଉଛି । ଯାହା ଫଳରେ ପରିଚାଳନା ସଠିକ ଭାବେ ହୋଇପାରିବ । ବିଏମସି ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ରହିଛି । ଖୁବ୍ ଶୀଘ୍ର ଡାକ୍ତରମାନଙ୍କୁ ନିଯୁକ୍ତ କରାଯିବ ।
ଏଥିସହ ଡାକ୍ତରଖାନାରେ ଅଚଳ ଏକ୍ସରେ ମେସିନ ସଜାଡିବାକୁ ଓ ଡାକ୍ତରମାନଙ୍କୁ ସଠିକ୍ ସମୟରେ ଡାକ୍ତରଖାନାକୁ ଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ହସ୍ପିଟାଲରେ ସ୍ବଚ୍ଛତା ପ୍ରତି ଅଧିକ ଧ୍ୟାନ ଦେବାକୁ କର୍ତ୍ତୃପକ୍ଷକୁ ତାଗିଦ୍ କରିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ