ଭୁବନେଶ୍ବର: ମୋ ସାଇକେଲ ନେଇ ବିଭାଗୀୟ ମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ । ମୋ ସାଇକେଲ ଯୋଜନା ପାଇଁ ଭୁବନେଶ୍ବର ସ୍ମାର୍ଟସିଟିରେ କେଉଁ ସଂସ୍ଥାଠାରୁ ଗୋଟିଏ ସାଇକେଲକୁ କେତେ ଟଙ୍କାରେ କେତେଟା ସାଇକେଲ କିଣା ଯାଇଥିଲା ? ଆଜି ଦିନରେ ତାହାର ସ୍ଥିତି କଣ ଯଦି ପ୍ରୋଜେକ୍ଟ ଫେଲ ମାରିଛି ତେବେ ସେଥିପାଇଁ ଦାୟୀ କିଏ ? ବର୍ତ୍ତମାନ କେତୋଟି ସାଇକେଲ କାର୍ଯ୍ୟକ୍ଷମ ଅଛି ଏବଂ ସାଇକେଲ ପାଇଁ ଆଜି ପର୍ଯ୍ୟନ୍ତ ରକ୍ଷଣବେକ୍ଷଣା ଓ ଅଫିସ ଖର୍ଚ୍ଚ ବାବଦରେ କେତେ ଅର୍ଥ ଖର୍ଚ୍ଚ ହୋଇଛି ? କେତେ ସାଇକେଲ ଚୋରି ହୋଇଛି ଏବଂ କେତେ ସାଇକେଲ କବାଡ଼ିଆକୁ ରାଜ୍ୟ ସରକାର ବିକ୍ରି କରିଛନ୍ତି ତାହାକୁ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ତଥ୍ୟ ଦେବାକୁ ପ୍ରଶ୍ନ କରିଥିଲେ ସୁର ରାଉତରାୟ ।
ବରିଷ୍ଠ କଂଗ୍ରେସ ନେତାଙ୍କ ପ୍ରଶ୍ନକୁ ନେଇ ଉତ୍ତର ରଖିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ଭୁବନେଶ୍ବର ସ୍ମାର୍ଟସିଟି ମିଶନ ସ୍ପାଏ (Spy) ଦ୍ଵାରା 2018 ମସିହାରେ ରାଜଧାନୀ ଅଞ୍ଚଳ ସହର ପରିବହନ (Capital Region Urban Transport) ମାଧ୍ୟମରେ 3ଟି ସଂସ୍ଥା ଠାରୁ ପ୍ରତି ସାଇକେଲ ପିଛା 25000/- ଟଙ୍କା ଜନ ସାଧାରଣଙ୍କ ବ୍ୟବହାର ପାଇଁ 200 ଟି ସାଇକେଲ କିଣା ଯାଇ ଥିଲା ।
ସେଥିମଧ୍ୟରୁ ବର୍ତ୍ତମାନ 100ଟି ସାଇକେଲ କାର୍ଯ୍ୟକ୍ଷମ ଅଛି ଏବଂ ଅବଶିଷ୍ଟ 10ଟି ସାଇକେଲର ରକ୍ଷଣାବେକ୍ଷଣ ତଥା ମରାମତି ଚାଲିଛି । ପ୍ରକଳ୍ପ ଜନ ସାଧାରଣଙ୍କ ଦ୍ଵାରା ଆଦୃତ ହୋଇଥିବାରୁ ବିଫଳ ହେବାର ପ୍ରଶ୍ନ ଉଠୁନାହିଁ । ରକ୍ଷଣାବେକ୍ଷଣା ବାବଦକୁ ସାଇକେଲ କିଣାଠାରୁ ଆଜି ପର୍ଯ୍ୟନ୍ତ ଦୁଇଟି ସଂସ୍ଥାକୁ ପ୍ରଦାନ କରାଯାଇଥିବା ଅର୍ଥର ତଥ୍ୟ ମଧ୍ୟ ଦେଇଛନ୍ତି ମନ୍ତ୍ରୀ ।
ଧରଣୀ ଏଣ୍ଟରପ୍ରାଇଜେସରୁ ୟାନା ସାଇକେଲ( Yaana Bicycle) ରକ୍ଷଣବେକ୍ଷଣା ପାଇଁ ୨୯.୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ସେହଭଳି ୟୁଲୁ ସାଇକେଲ ( Yulu Bicycle) ରକ୍ଷଣବେକ୍ଷଣା ପାଇଁ ୟୁଲୁ ବାଇକ୍ସ ପ୍ରାଇଭେଟ ଲମିଟେଡକୁ ୨୯.୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । କୌଣସି ସାଇକେଲ ଚୋରୀ ହୋଇନାହିଁ କିମ୍ବା କବାଡ଼ିଆ ନେଇନଥିବା ମନ୍ତ୍ରୀଙ୍କ ପାଖରେ ତଥ୍ୟ ନଥିବା କହିଛନ୍ତି । ଏହି ଯୋଜନାରେ ଦୁର୍ନୀତି ହୋଇଥିବା ସନ୍ଦେହ କରାଯାଉଛି । ୨୦୧୮ ୩ଟି ସଂସ୍ଥାରୁ ପ୍ରତି ସାଇକେଲ ୨୫୦୦୦ ଦରରେ କିଣାଯାଇଥିଲା ।
ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ ଓ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ