ଭୁବନେଶ୍ବର: ଆଉ ଦୁଇ ଦିନ ପରେ ଧରାପୃଷ୍ଠରେ ଅବତରଣ କରିବେ ଅଗ୍ରପୂଜ୍ୟ ଗଜାନନ । ଏଥିପାଇଁ ଗାଁ ଠୁ ସବୁଠି ଚଳଚଞ୍ଚଳ । ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂଜା ପାଇବେ ବିଘ୍ନ ବିନାଶକ । କିନ୍ତୁ ଚଳିତ ଥର ଗଣେଶ ପୂଜାରେ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ପରସା ଯିବନି ମଧ୍ୟାହ୍ନ ଭୋଜନ । ଖାଲି ଗଣେଶ ପୂଜା ନୁହେଁ ସରସ୍ବତୀ ପୂଜାରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ମିଳିବନି ମଧ୍ୟାହ୍ନ ଭୋଜନ । ମଧ୍ୟାହ୍ନ ଭୋଜନ ହିସାବରୁ ଏହି ଦୁଇ ଦିନ ବାଦ ପଡିବ । ଗଣଶିକ୍ଷା ବିଭାଗ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି ।
ସାଧାରଣତଃ ପୂଜା ଥିବାରୁ ଛାତ୍ରଛାତ୍ରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇନଥାନ୍ତି । କାରଣ ମଧ୍ୟାହ୍ନ ଭୋଜନରେ ଉଷୁନା ଚାଉଳର ଭାତ ଦିଆଯାଇଥାଏ । ପୂଜା ବିଧି ଅନୁଯାୟୀ ଛାତ୍ରଛାତ୍ରୀମାନେ ଏହି ଦିନମାନଙ୍କରେ ଉଷୁନା ଚାଉଳର ଭାତ ଖାଇବାକୁ ଅମଙ୍ଗ ହୋଇଥାନ୍ତି । ତେଣୁ ଚଳିତ ବର୍ଷ ଠାରୁ ଏହି ଦୁଇ ପୂଜାରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଖାଇବାକୁ ବାଧ୍ୟ ନ କରିବାକୁ ଅନୁରୋଧ କରିଛନ୍ତି ନୋଡାଲ ଅଫିସର । ବରଂ ପ୍ରଥା ଅନୁସାରେ ପୂଜା ଦିନ ଛାତ୍ରଛାତ୍ରୀଙ୍କୁ ସହଯୋଗ କରିବାକୁ ଡିଇଓଙ୍କ ଚିଠିରେ ଜଣାଇଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ