ଭୁବନେଶ୍ବର: ଆସନ୍ତା 5 ତାରିଖରୁ ଆରମ୍ଭ ହେବ ମାଟ୍ରିକ ସମେଟିଭ ଆସେସମେଣ୍ଟ-1 ପରୀକ୍ଷା । ଯେଉଁ ପର୍ଯ୍ୟନ୍ତ କୋର୍ସ ସରିଛି ସେହି ପର୍ଯ୍ୟନ୍ତ ମାଟ୍ରିକ ସମେଟିଭ ଆସେସମେଣ୍ଟ-1 ପରୀକ୍ଷା କରାଯିବ। ଯଦି କୌଣସି କାରଣରୁ ବାର୍ଷିକ ପରୀକ୍ଷା ହୋଇପାରୁନାହିଁ ତେବେ ଏହି ସମେଟିଭ ଆସେସମେଣ୍ଟ ପରୀକ୍ଷା ଅନୁସାରେ ପିଲାଙ୍କୁ ମାର୍କ ଦିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଚଳିତ ବର୍ଷ ମୋଟ 5 ଲକ୍ଷ 71 ହଜାର 935 ଜଣ ଛାତ୍ରଛାତ୍ରୀ ଦେବେ ପରୀକ୍ଷା । 3093ଟି କେନ୍ଦ୍ରରେ ଅନୁଷ୍ଟିତ ହେବ ପରୀକ୍ଷା । ଜାନୁୟାରୀ 5 ତାରିଖରୁ ପରୀକ୍ଷା ଆରମ୍ଭ ହୋଇ 8 ତାରିଖ ପର୍ଯ୍ୟନ୍ତ ଚାଲିବ । ୨ଟି ସିଟିଂରେ 40 ନମ୍ବର ବିଶିଷ୍ଟ ଅବଜେକ୍ଟିଭ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ପ୍ରଥମ ଥର ପାଇଁ ଏହି ସମେଟିଭ ପରୀକ୍ଷା ବୋର୍ଡ ଦ୍ବାରା ଆୟୋଜନ କରାଯାଉଥିବା ବେଳେ ବୋର୍ଡ଼ ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତ ଶେଷ କରିଛି ।
ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା କରାଯାଇଛି । ଯେଉଁ ପର୍ଯ୍ୟନ୍ତ କୋର୍ସ ସରିଛି ସେହି ପର୍ଯ୍ୟନ୍ତ ସମେଟିଭ ଆସେସମେଣ୍ଟ ପରୀକ୍ଷା କରାଯିବ। ଯଦି କୌଣସି କାରଣରୁ ସଂକ୍ରମଣ ବଢେ ଏବଂ ବାର୍ଷିକ ପରୀକ୍ଷା ଛାତ୍ରଛାତ୍ରୀ ମାନେ ନଦେଇ ପାରନ୍ତି ତେବେ ଏହି ସମେଟିଭ ଆସେସମେଣ୍ଟ ପରୀକ୍ଷାର ମାର୍କ ଅନୁସାରେ ପିଲାଙ୍କୁ ମାର୍କ ଦିଆଯିବ । ଅନ୍ୟପଟେ ରାଜ୍ୟରେ ବଢୁଛି କୋରୋନା ସଂକ୍ରମଣ । ଏହାରି ଭିତରେ ସ୍କୁଲ କଲେଜ ମଧ୍ୟ ଖୋଲାଯାଇଛି ।
ଆଗକୁ ମଧ୍ୟ ପରୀକ୍ଷା ହେବାକୁ ଯାଉଛି । ଏଣୁ ପୁରୁଣା SOP ଅନୁସାରେ ସମସ୍ତ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ସହ ସର୍ଭେଲାନ୍ସ କଡାକଡି ଭାବରେ ପାଳନ କରାଯାଉଛି । ନୋଡାଲ ଅଫିସରମାନେ ଦୈନିକ ସ୍କୁଲ ଉପରେ ନଜର ରଖୁଛନ୍ତି । ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ନେଇ ବିଇଓ ମାନଙ୍କ ସହିତ ପ୍ରତ୍ୟେକ ଦିନ ବୈଠକ ବସୁଛି । ଏପର୍ଯ୍ୟନ୍ତ ସରକାରୀ ବିଦ୍ୟାଳୟରେ କୌଣସି ସେମିତି ସମସ୍ୟା ପରିଲିଖିତ ହୋଇନାହିଁ । ସ୍ବାସ୍ଥ୍ୟ ବିଭାଗରେ ଓ ଗଣଶିକ୍ଷା ବିଭାଗର ମିଳିତ ଭାବରେ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ