ଭୁବନେଶ୍ବର: କୌଣସି ପେମେଣ୍ଟ ଆପ୍ଲିକେଶନ ବ୍ୟବହାର କୁରଥିଲେ ହୁସିଆର! ବ୍ୟାଙ୍କ ସହାୟତା ପାଇଁ ହେଲ୍ପଲାଇନରୁ କଲ କରୁଛି କହି ଆପଣଙ୍କ ଆକାଉଣ୍ଟ ଶୂନ କରି ଦେଇ ପାରନ୍ତି ସାଇବର ଠକ। ଅନଲାଇନରେ ଏବେ ସାଇବର ଠକମାନେ ମିଛ ହେଲ୍ପଲାଇନ ନମ୍ବର ଜରିଆରେ ଲୋକଙ୍କୁ ଲୁଟିବା ଆରମ୍ଭ କରିଛନ୍ତି। ଭୁବନେଶ୍ବରରେ ହେଲ୍ପଲାଇନ ନମ୍ବରକୁ କଲ କରି ଜଣେ ବ୍ୟକ୍ତି ଠକାମୀର ଶିକାର ହୋଇଛନ୍ତି।
ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ଼ କଲୋନିରେ ରହୁଥିବା ବୈରାଗୀ ଚରଣ ରାଉତ ପେଟିଏମରେ ୨୮୦ ଟଙ୍କାରେ ଟିଭି ରିଚାର୍ଜ କରିଥିଲେ। ଆକାଉଣ୍ଟରୁ ଟଙ୍କା କଟିଯାଇଥିବା ବେଳେ ଟିଭି ରିଚାର୍ଜ ହୋଇନଥିଲା। ଏହାକୁ ନେଇ ଅଭିଯୋଗ କରିବାକୁ ସେ ଅନଲାଇନରେ ହେଲ୍ପଲାଇନ ନମ୍ବର ଖୋଜିଥିଲେ। ଏକ ହେଲପଲାଇନ ନମ୍ବର ପାଇ ସେଥିରେ କଲ କରିଥିଲେ ବୈରାଗୀ । ତେବେ କଲ ଆରପଟରେ ଥିବା ସାଇବର ଠକମାନେ କୌଣସି ଉପାୟରେ ବାହାନା କରି ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମାଗିଥିଲେ।
ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଦେଉ ଦେଉ ବୈରାଗୀଙ୍କ ଆକାଉଣ୍ଟରୁ ପ୍ରଥମେ ୭୮ ହଜାର ପରେ ୨୦ ହଜାର କଟି ଯାଇଥିଲା। ଭୟରେ ସେମାନେ ଆକାଉଣ୍ଟ ଫ୍ରିଜ କରିଥିଲେ। ଘଟଣାକୁ ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି ବୈରାଗୀ ଚରଣ ରାଉତ। ଏହାଏକ ଅନଲାଇନ ଠକାମୀ ହୋଇଥିବାରୁ କଟକ ସାଇବର ସେଲ ମଧ୍ୟ ଅଭିଯୋଗ ହୋଇଛି।
କୌଣଶି ବ୍ୟାଙ୍କ ସହାୟତା ପାଇଁ ହେଲ୍ପଲାଇନକୁ କଲ କରିବା ପୂର୍ବରୁ ବର୍ତ୍ତମାନ ପରିଖିବା ଆବଶ୍ୟକ ହୋଇପଡ଼ିଛି। ନ ପରଖିଲେ କେହିବି ହୋଇପାରନ୍ତି ଠକାମିର ଶିକାର। ଠକେଇର ଶିକାର ପରେ ଏବେ ପୋଲିସ ଭରସାରେ ରହିଛନ୍ତି ବୈରାଗୀ ଚରଣ ରାଉତ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ