ଭୁବନେଶ୍ବର/କେନ୍ଦ୍ରାପଡା: ହଜିଗଲା ମାନବିକତା, ସୀମା ଟପିଲା ନିଷ୍ଠୁରତା । ସଭ୍ୟ ମଣିଷ ଭିଆଇଲା ବର୍ବର କାଣ୍ଡ । ନିର୍ବାକ ପଶୁକୁ ଧାରୁଆ ଅସ୍ତ୍ରରେ ଚୋଟ ମାରି ଲହୁ ଲୁହାଣ କରିପକାଇଲା ଜହ୍ଲାଦ । ଶେଷରେ ରକ୍ତ ଜୁଡୁବୁଡୁ ଓ ଯନ୍ତ୍ରଣାରେ ଜର୍ଜରିତ ପଶୁଟି ଆଖି ବୁଜିଦେଲା । କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକ ପହରାଜପୁର ଗ୍ରାମରୁ ସାମ୍ନାକୁ ଆସିଛି ଏହି ନୃଶଂସ କାଣ୍ଡ । ବାବୁଲା ସିଂ ନାମକ ଜଣେ ବ୍ୟକ୍ତି ନିଜ ପୋଷା କୁକୁରକୁ ହାଣି ହତ୍ୟା କରିଛି । ବର୍ବରତାର ଏହି ଦୃଶ୍ୟ ସାମ୍ନାକୁ ଆସିବା ପରେ ଚାରିଆଡେ ଏହାକୁ ତୀବ୍ର ନିନ୍ଦା କରାଯାଉଛି ।
ଗୁରୁବାର ସମୟ ସକାଳ 11 ଟା । ନିଜ ଘର ଆଗରେ ଶୋଇ ରହିଥିଲା ପୋଷା କୁକୁର । ମାଲିକ ବାବୁଲା ସିଂ ହଠାତ୍ ଏକ ଧାରୁଆ ଅସ୍ତ୍ରରେ ଶୋଇ ରହିଥିବା ନିଜ ପୋଷା କୁକୁରକୁ ଚୋଟ ପକାଇଥିଲେ । ଯନ୍ତ୍ରଣାରେ ଛଟପଟ ହୋଇ କୁକୁରଟି ମଧ୍ୟ କେଇ ମୂହୁର୍ତ୍ତରେ ଆଖି ବୁଜି ଦେଇଥିଲା । ତେବେ ଏଠି ପ୍ରଶ୍ନ ଉଠୁଛି କି ଭୁଲ କରିଥିଲା ସେହି ନିଷ୍ପାପ ଜୀବଟି? କାହିଁକି ଏଡେ ନିର୍ଦୟ ସାଜିଲା ମଣିଷ ? ବର୍ତ୍ତମାନ ଏହି ଭିଡିଓଟି ସାମ୍ନାକୁ ଆସିଲା ପରେ ବିଭିନ୍ନ ମହଲରେ ଏହାକୁ ତୀବ୍ର ନିନ୍ଦା କରିଯିବା ସହ ଦୋଷୀଙ୍କୁ ଗିରଫ ପାଇଁ ଦାବି ଜୋର ଧରିଛି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ