ଭୁବନେଶ୍ବର: ରାଜଧାନୀର ମାଲିସାହି, ଏହି ନାଁ ଶୁଣିଲେ ପ୍ରତ୍ୟେକଙ୍କ ମନରେ ଏକ ବିଦ୍ବେଶ ଚିନ୍ତାଧାରା ଚାଲିଆସେ । ଏଠାରେ ଦେହର ସଉଦା କରନ୍ତି ଦେହଜୀବୀ, ରୂପଜୀବୀ, ବାରଙ୍ଗନା । ଏଭଳି ଅନେକ ସେମାନଙ୍କ ନାଁ । ପ୍ରତିଦିନ ସେ ଚରିତ୍ର ସଂହାରର ଶିକାର ହୁଏ । ସମ୍ମାନର ସହ ବଞ୍ଚିବା ପାଇଁ ସେମାନଙ୍କ ପାଇଁ ଆଇନ୍ ରହିଛି, ହେଲେ ଏ ସମାଜ ସେମାନଙ୍କୁ କେବେ ସମ୍ମାନ ଦେଇନାହିଁ ।
ଜୀବନ ସଂଘର୍ଷର ସାହି
କେହି କେବେ ଖୁସିରେ ରୂପଜୀବୀ ହେବାକୁ ଚାଲି ଆସନ୍ତିନି । ମାଳିସାହିରେ ଥିବା ପ୍ରତ୍ୟେକ ଦେହଜୀବୀଙ୍କ ଭିନ୍ନଭିନ୍ନ କାହାଣୀ । କିନ୍ତୁ ଏହି କାହାଣୀ ଶୁଣିବ କିଏ, ବୁଝିବ କିଏ । ସମାଜ ସେମାନଙ୍କୁ କଳଙ୍କର ଆଖ୍ୟା ଦେଇଛି । କି ଖରା ବା କି ବର୍ଷା, ଏମାନେ ଛତାଟିଏ ଧରି ନିଜ ଗ୍ରାହକର ଅପେକ୍ଷାରେ ରହିଥାନ୍ତି । ଦିନେ ଦୁଇ ଦିନ ନୁହେଁ ପ୍ରତିଦିନ ଏଭଳି ଏମାନେ ନିଜ ଗ୍ରାହକଙ୍କ ଅପେକ୍ଷାରେ ବସିଥାଆନ୍ତି । ହେଲେ ଏଠାରେ ଗ୍ରାହକଙ୍କ ଦେଖା ମିଳୁନି ।
କାମରେ ଆସୁନି ଆଇନ୍
ଦେହଜୀବୀଙ୍କ ପେଷା ଆଇନ ସମ୍ମତ । ସ୍ବୀକୃତି ପ୍ରଦାନ କରିଛନ୍ତି ସୁପ୍ରିମ୍କୋର୍ଟ । ଭାରତୀୟ ସମ୍ବିଧାନ ଅନୁଚ୍ଛେଦ ୨୧ ମୁତାବକ ଦେହଜୀବୀଙ୍କୁ ମର୍ଯ୍ୟାଦାର ସହ ବଞ୍ଚିବା ନେଇ ନିର୍ଦ୍ଦେଶ ରହିଥିଲା । ତେବେ ଏହି ଆଇନ କାର୍ଯ୍ୟକାରୀ ହୋଇ ପାରିନି । ଏହା ପଛରେ ସାଧାରଣ ଲୋକଙ୍କ ମାନସିକତା ହିଁ ଦାୟୀ । ଏଥିପାଇଁ ସମାଜ ଦେହଜୀବୀଙ୍କୁ ଉଚିତ ସମ୍ମାନ ଦେଇ ପାରିନି ।
ପେଟ ପାଇଁ ନାଟ
ସମାଜ ସେମାନଙ୍କୁ ଯାହା ବି କହୁ, ସେମାନଙ୍କୁ ବଞ୍ଚିବାକୁ ପଡ଼ିବ । ଏଥିପାଇଁ ଦେହକୁ ପଥର କରି ନିକ ପେଶାରେ ଏମାନେ ବ୍ୟସ୍ତ । ବ୍ୟସ୍ତ ନହେବେ ବା କେମିତି । ବ୍ୟବସାୟ ନହେଲେ ଖାଇବେ କଣ, ବଞ୍ଚିବେ କେମିତି । କୋଭିଡ କାଳରେ ତ ଏମାନଙ୍କ ବଞ୍ଚିବା ମୁସ୍କିଲ୍ ହୋଇ ପଡ଼ିଥିଲା । ତେବେ କେତେକ ବୟସ୍କା ମହିଳା ଏବେ ପେଶାରୁ ବାହାରି କିଛି ଦୋକାନ କରିବାକୁ ଚାହୁଁଛନ୍ତି । ଏଥିପାଇଁ ମହିଳା ସହାୟତା ଲୋଡ଼ିଛନ୍ତି ।
ଏହାକୁ ନେଇ ମାଳିସାହିର ଏମ୍ ନାଗମଣି କହିଛନ୍ତି, "ଆଇନ ହେଲେ କଣ ହେଲା, ଆମ ଦୁଃଖ ଯେଉଁଠି ଥିଲା ସେଇଠି ଅଛି । କୋଭିଡ କାଳରେ ତ ଖାଇବାକୁ ଦି ମୁଠା ପାଇବା ମୁସ୍କିଲ୍ ହୋଇ ପଡ଼ିଥିଲା । ଆଇନ ସିନା ଦେହ ବ୍ୟବସାୟକୁ ଆଇନସମ୍ମତ କରିଛି କିନ୍ତୁ । ଏଠି ଦେହ ବ୍ୟବସାୟ କରି ବଞ୍ଚିବା କଷ୍ଟକର ହୋଇପଡିଛି ।"
ଦୁର୍ବିସହ ଦେହଜୀବୀଙ୍କ ଜୀବନ
ଅନ୍ୟମାନଙ୍କ ଭଳି ଏହି ଦେହଜୀବଙ୍କ ବି ପରିବାର ରହିଛି । ଏମାନଙ୍କ ବି ପିଲାଛୁଆ ଅଛନ୍ତି । ହେଲେ ସେମାନଙ୍କୁ ଏହି ଯନ୍ତ୍ରଣାର ଛାଇ ପଡ଼ିବାକୁ ଦେଉନାହାନ୍ତି । ଭୋକ ଉପାସରେ ରହିଲେ ସୁଦ୍ଧା ପିଲାଙ୍କୁ ତାହା ଜାଣିବାକୁ ଦିଅନ୍ତି ନାହିଁ । ପାଠ ପଢ଼ାଇ ମଣିଷ କରାଇବା ପାଇଁ ସେମାନଙ୍କୁ ହଷ୍ଟେଲ୍ରେ ଛାଡ଼ିଛନ୍ତି ।
ମାଳିସାହିର ଜୋତ୍ସ୍ନା ରାଏ କହିଛନ୍ତି, "30ବର୍ଷ ଧରି ମାଳିସାହିରେ ରହିଲିଣି । 1999 ମହାବାତ୍ୟାରେ ବାପା ମାଆ ଆରପାରିକୁ ଚାଲିଗଲେ । ପେଟ ଚାଖଣ୍ଡଙ୍କ ପାଇଁ ଚାରିଆଡେ ଠୋକର ଖାଇବା ପରେ ଆସି ପହଞ୍ଚିଥିଲି ମାଳିସାହିରେ । ଏବେ ବୟସ ବଢୁଛି । ପିଲାମାନଙ୍କୁ ବାହାରେ ହଷ୍ଟେଲରେ ଛାଡ଼ିଛି ପାଠ ପଢିବା ପାଇଁ । ଜୀବନ ଦୁର୍ବିସହ ହୋଇ ପଡ଼ିଛି । ବେପାର ହେଲେ ଖାଉଛୁ ନହେଲେ ନାହିଁ ଭୋକରେ ରହୁଛି ।"
ମାଳିସାହିରେ ଦେହଜୀବୀଙ୍କ ପାଇଁ ରୋଜଗାରର ମାଧ୍ୟମ ରହିଛି ହେଲେ ବଞ୍ଚିବା ସହଜ ହେଉନି । ସେମାନଙ୍କ ଜୀବନ ଶୈଳୀରେ କୌଣସି ପରିବର୍ତ୍ତନ ଆସୁନାହିଁ । ଏହାକୁ ନେଇ ବରିଷ୍ଠ ଆଇନଜୀବୀ ବିଭୁ ତ୍ରିପାଠୀ କହିଛନ୍ତି, "ଭାରତୀୟ ସମ୍ବିଧାନ ଅନୁଚ୍ଛେଦ ୨୧ ଅନୁଯାୟୀ ଦେଶରେ ପ୍ରତ୍ୟେକ ନାଗରିକଙ୍କ ସମାଜରେ ମର୍ଯ୍ୟାଦାର ସହ ବଞ୍ଚିବାର ଅଧିକାର ଅଛି । ଏହି କ୍ରମରେ ଦେହଜୀବୀଙ୍କୁ ମଧ୍ୟ ବଞ୍ଚିବାର ଅଧିକାର ରହିଛି । ତେବେ ଆମମାନଙ୍କ ମାନସିକତା ଓ ସାଂସ୍କୃତିକ ସଚେତନତାର ଅଭାବ ସେମାନଙ୍କୁ ସେମାନଙ୍କ ଅଧିକାର ଦେଇ ପାରିନି । ଆଜି ବି ଅନେକଙ୍କ ଧାରଣା ଏହି ପେଶା ବେଆଇନ୍ । କିନ୍ତୁ ସେମାନେ ଯଦି କୌଣସି ବେଶ୍ୟାଳୟ ଚଲାଉ ଥାଆନ୍ତି ତାହେଲେ ହିଁ ତାହା ବେଆଇନ୍ ।"
ସୁପ୍ରିମକୋର୍ଟଙ୍କ ରାୟ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରିନି । ଏଥିପାଇଁ ଲୋକଙ୍କ ମାନସିକତାର ପରିବର୍ତ୍ତନର ଆବଶ୍ୟକ । ତାହେଲେ ହିଁ ସମାଜ ସମ୍ମାନର ସହ ବଞ୍ଚିବା ପାଇଁ ଦେହଜୀବୀଙ୍କୁ ସେମାନଙ୍କ ଅଧିକାର ମିଳି ପାରିବେ ।
ଇଟିଭି ଭାରତ, ଭୁବନେଶ୍ବର