ଭୁବନେଶ୍ବର: ଆଜି ଦେବଶିଳ୍ପୀ ପ୍ରଭୁ ବିଶ୍ବକର୍ମା ଧରାବତରଣ କରିବେ । ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ଗାଁ ଠୁ ସହର । ବିଶେଷ କରି ବିଭିନ୍ନ ଶିଳ୍ପାନୁଷ୍ଠାନ, ଶିଳ୍ପାଞ୍ଚଳ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ବର୍ଷବର୍ଷ ଧରି ଯେଉଁ କାରଖାନା ଆମକୁ ରୋଜଗାର ତଥା ସାମଗ୍ରୀ ଦେଇଛି ଏବଂ ଯେଉଁ ମେସିନ୍ ଆମ ଶ୍ରମକୁ ଲାଘବ କରି କାର୍ଯ୍ୟକୁ ସହଜ କରାଇଛି ଆଜି ସେହି ଯନ୍ତ୍ରପାତିକୁ ବିରାମ ଦେଇ କୃତଜ୍ଞତା ଜଣାଇବାର ଦିନ ।
ଭାରତୀୟ ସଂସ୍କୃତି ଏବଂ ପରମ୍ପରା ଅନୁସାରେ ଏସବୁ ଯନ୍ତ୍ରପାତିକୁ ପରୋକ୍ଷରେ କେହି ଜଣେ କର୍ମା ତିଆରି କହିଛନ୍ତି ଯାହାଙ୍କୁ ବିଶ୍ବକର୍ମାର ଆଖ୍ୟା ଦିଆଯାଇଛି । ଆଜି ସେହି ବିଶ୍ବକର୍ମାଙ୍କୁ ପୂଜା କରୁଛି ପୁର ଠୁ ପଲ୍ଲୀ । ତେବେ ପ୍ରଜାପତି ବ୍ରହ୍ମାଙ୍କ ନାଭି କମଳରୁ ଏହି ଦେବଶିଳ୍ପୀ ବିଶ୍ବକର୍ମାଙ୍କ ଜନ୍ମ ବୋଲି ପୁରାଣରେ ବର୍ଣ୍ଣିତ ହୋଇଛି । କନ୍ୟା ସଂକ୍ରାନ୍ତିରେ ମର୍ତ୍ତ୍ୟରେ ଆବିର୍ଭୂତ ହୋଇଥିଲେ ଦେବଶିଳ୍ପୀ ବିଶ୍ବକର୍ମା । ଲୋକେ ତାଙ୍କୁ ତ୍ବଷ୍ଟା ନାମରେ ମଧ୍ୟ ଜାଣନ୍ତି । ଅତ୍ୟନ୍ତ ସୁନ୍ଦର, ତେଜସ୍ବୀ, ଦିବ୍ୟ ବସ୍ତ୍ର ପରିହିତ, ନାନାଦି ରତ୍ନାଳଙ୍କାରରେ ସେ ବିଭୂଷିତ । ସେ ମହାଜ୍ଞାନୀ, କିଶୋର ପରି ପ୍ରତିଭିତ । ବ୍ରହ୍ମାଙ୍କ ନିର୍ଦ୍ଦେଶରେ ସେ ସୃଷ୍ଟି ସର୍ଜନା କରିଥିଲେ ବୋଲି ତାଙ୍କୁ ଦେବଶିଳ୍ପୀ ବୋଲାଯାଏ ।
ସେଥିପାଇଁ ବିଭିନ୍ନ ଶିଷ୍ପାନୁଷ୍ଠାନରେ କନ୍ୟା ସଂକ୍ରାନ୍ତିରେ ବିଶ୍ବକର୍ମାଙ୍କ ପୂଜା କରାଯାଏ । ସ୍ବର୍ଗର ଅମରାବତୀ ତାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ ବୋଲି କୁହାଯାଏ । ଦେବତାମାନଙ୍କ ସମସ୍ତ ଶସ୍ତ୍ର, ବିମାନ ଆଦି ବିଶ୍ବକର୍ମା ନିର୍ମାଣ କରିଥାନ୍ତି । ମର୍ତ୍ତ୍ୟଲୋକରେ ମଧ୍ୟ ନିର୍ମାଣ ହୋଇଥିବା ବଢେଇଙ୍କ ଯନ୍ତ୍ରପାତି, କଳକାରଖାନା ମେସିନ୍ ଆଦି ବିଶ୍ବକର୍ମାଙ୍କ ପ୍ରତ୍ୟେକ୍ଷ ନିର୍ଦ୍ଦେଶରେ ନିର୍ମାଣ ବୋଲି ବିଶ୍ବାସ ରହିଛି । ସେଥିପାଇଁ ପ୍ରତିବର୍ଷ ଏହି ତିଥିରେ ବିଶ୍ବକର୍ମାଙ୍କ ପୂଜା କରାଯାଇଥାଏ ଏବଂ ଯନ୍ତ୍ରପାତିକୁ କୃତଜ୍ଞତା ଜଣାଇ ବିରାମ ଦିଆଯାଇଥାଏ । ବାସ୍ତବରେ ଭାରତୀୟ ସଂସ୍କୃତିରେ ସ୍ରଷ୍ଟାଙ୍କ ପ୍ରତିଟି ଦାନକୁ କୃତଜ୍ଞତା ଜଣାଇବାର ଏହା ଏକ ସୁନ୍ଦର ନିଦର୍ଶନ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ