ଭୁବନେଶ୍ବର: ଅପରେସନ ଡାଡିକୁ ଆଉ ଏକ ସଫଳତା । ଡିସିପିଙ୍କ ନୁଆ ଅପରେସନକୁ ମିଳିବାରେ ଲାଗିଛି ସଫଳତା । ଯାହାର ଉଦାହରଣ ଦେଖିବାକୁ ମିଳିଛି ଅପରେସନ ଡାଡିର ୩ୟ ଅପରେସନରେ ।
ଏକ ପେଟ୍ରୋଲ ଟାଙ୍କିରେ କଳାକନା ବୁଲାଇବାକୁ ଡକାୟତି ଯୋଜନା ବେଳେ ଧରାପଡିଛନ୍ତି ମାଷ୍ଟରମାଇଣ୍ଡ । 5 ଜଣିଆ ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି କମିସନରେଟ ପୋଲିସ । ମଞ୍ଚେଶ୍ବର ଥାନା କାଳିଖମା ନିକଟରେ ଏପରି ଯୋଜନା ରଚୁଥିବା ବେଳେ ଅପରେସନ ଡାଡିର ଡିସିପିଙ୍କ ସ୍ବତନ୍ତ୍ର ଟିମ ହାତରେ ଧରାପଡିଛନ୍ତି ଏହି ଗ୍ୟାଙ୍ଗ୍ ।
ଗିରଫ 5 ଅଭିଯୁକ୍ତଙ୍କ ନାମରେ ରାଜଧାନୀର ବିଭିନ୍ନ ଥାନାରେ ରହିଛି ଏକାଧିକ ମାମଲା । ସେମାନେ ହେଲେ ଶାନ୍ତୀପଲ୍ଲୀ ବସ୍ତିର ସମୀର ଆଚାର୍ଯ୍ୟ, ତେଲୁଗୁ ବସ୍ତିର ଲକ୍ଷ୍ମୀଧର ନାୟକ, ଇସ୍କନ ବସ୍ତିର ରଞ୍ଜିତ ପ୍ରଧାନ, ସହୀଦନଗରର ବିଜୁ ପଲେଇ, ସାଲିଆସାହିର ରାକେଶ ବେହେରା । ଏମାନଙ୍କ ଠାରୁ ୭.୬ ଏମଏମ ପିସ୍ତଲ ସହ ତିନିରାଉଣ୍ଡ ଗୁଳି, ଦୁଇଟି ମାରଣାସ୍ତ୍ର ସହ ଲଙ୍କା ପାଉଡର, ମୋବାଇଲ ଫୋନ୍ ଓ ଦୁଇଟି ବାଇକ ଜବତ କରିଛି ପୋଲିସ ।
ଭୁନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ