ଭୁବନେଶ୍ବର: କିଏ କହିଲା ନବୀନ ପଟ୍ଟନାୟକ ଅନଫିଟ୍ ? ତାଙ୍କ ଫିଟନେସ୍ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଟ୍ରେଣ୍ଡ କରୁଛି । ଏପରିକି ବିରୋଧୀଙ୍କ ଗାଲରେ ମଧ୍ୟ ଶକ୍ତ ଚାପୁଡ଼ା ମାରିଛନ୍ତି ମୁଖ୍ୟମନ୍ତ୍ରୀ। ଯାହା ପ୍ରମାଣିତ ହୋଇଛି ତାଙ୍କ ଫିଟନେସ ଭିଡିଓରୁ। ବ୍ଲାକ ଟି-ସାର୍ଟ ଏବଂ ଟ୍ରାଉଜର ପିନ୍ଧି ନବୀନ କରୁଛନ୍ତି ୱର୍କ ଆଉଟ୍।
2 ମିନିଟ୍ 8 ସେକେଣ୍ଡର ଭିଡିଓଟି। ଯେଉଁଥିରେ ନବୀନଙ୍କୁ ବିଭିନ୍ନ ପ୍ରକାରର ବ୍ୟାୟାମ କରୁଥିବାର ଦେଖିବାକୁ ମିଳୁଛି । ଦୌଡ଼ୁଛନ୍ତି। ଓହଳୁଛନ୍ତି ।ଡମ୍ବଲ ଟେକୁଛନ୍ତି । ପେଡଲିଙ୍ଗ କରୁଛନ୍ତି । ବିନା ସାହାରାରେ ସିଢ଼ି ଚଢ଼ୁଛନ୍ତି । ଏପରିକି ହାତରେ ବିମ୍ ମାରୁଛନ୍ତି ମୁଖ୍ୟମନ୍ତ୍ରୀ। ପୁଣି ଏକଦମ ବିନ୍ଦାସ ଅବତାରରେ । ହସି ହସି ନବୀନ କରୁଛନ୍ତି କସରତ । ତେବେ ଏହି ଭିଡିଓର ଖୋଦ ନବୀନ କହିଛନ୍ତି, ଓଡ଼ିଶା ଲୋକଙ୍କ ପାଇଁ ଲଢ଼େଇ କରିବାକୁ ପ୍ରସ୍ତୁତ ହେଉଛି।
ନବୀନ ଅସୁସ୍ଥ, ସେ ଚାଲି ପାରୁନାହାଁନ୍ତି ବୋଲି ବିରୋଧୀ ବାରମ୍ବାର ପ୍ରଚାର କରୁଥିବା ବେଳେ ଏବେ ସାମ୍ନାକୁ ଆସିଛି ନବୀନଙ୍କ ଏକ ବ୍ୟାୟାମ ଭିଜୁଆଲ। ଏପରିକି ଓଡିଆ ପଲଟିକାଲ ନ୍ୟୁଜ୍ ଦେଖୁଥିବା ସହ ନିଜ ବାସ ଭବନରେ ବେଶ ଫୁର୍ତିର ସହ ଭ୍ରମଣ କରୁଥିବାର ଦେଖିବାକୁ ମିଳିଛି ମୁଖ୍ୟମନ୍ତ୍ରୀଙ୍କୁ । ଯାହା ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ