ଭୁବନେଶ୍ୱର: ଦେଶରେ 2009 ମସିହାରୁ କାର୍ଯ୍ୟକାରୀ ହେଉଥିବା ସୂଚନା ଅଧିକାର ଆଇନ ବା ଆରଟିଆଇ (RTI ) ଆକ୍ଟକୁ କେନ୍ଦ୍ର ସରକାର ସଂଶୋଧନ ନିମନ୍ତେ ସଂସଦରେ ଆଗତ କରିଛନ୍ତି । ଏପରିକି ଲୋକସଭାରେ ଏହି ବିଲ ମଧ୍ୟ ପରିତ ହୋଇଛି ।ତେବେ ଏହାକୁ ନେଇ ସାରା ଦେଶରେ ସୂଚନାଧିକାର କାର୍ମୀମାନେ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ଭୁବନେଶ୍ୱରରେ ମଧ୍ୟ ଏହାର ବିରୋଧ କରାଯାଇଛି ।
କେନ୍ଦ୍ର ନିର୍ବାଚନ କମିଶନ, ମାନବାଧିକାର କମିଶନ ଭଳି ଏହି କମିଶନ ଏକ କେନ୍ଦ୍ରୀୟ ଅନୁଷ୍ଠାନ ହୋଇଥିବା ବେଳେ ଏହା ଯୋଗୁଁ ଦେଶର ଲକ୍ଷ ଲକ୍ଷ ଲୋକ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ ହେଉଛନ୍ତି । ଏହାସହ ବିଭିନ୍ନ ବିଭାଗରେ ହେଉଥିବା ଦୁର୍ନୀତିର ପର୍ଦ୍ଦାଫାସ ହୋଇପାରୁଛି ।
କିନ୍ତୁ ସରକାର ପୂର୍ବରୁ କୌଣସି ଆଲୋଚନା ନକରି ଏହି ଆଇନକୁ ସଂଶୋଧନ କରି ଏହାର କାର୍ଯ୍ୟପାରିଧିକୁ ସଙ୍କୋଚନା କରିବା ପାଇଁ ଚେଷ୍ଟା କରୁଥିବା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଅଭିଯୋଗ କରାଯାଇଛି । ତେଣୁ ଏହାକୁ ବିରୋଧ କରିବା ସହିତ ଏଥିରେ ସଂଶୋଧନ ନକରି ପୂର୍ବ ଆଇନକୁ ପୂର୍ବଭଳି କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ।
ଏଦିଗରେ ସରକାର ଆଉଥରେ ବିଚାର କରିବାକୁ ସେମାନେ ବିକ୍ଷୋଭ କରି ଦାବି ରଖିଛନ୍ତି । ସ୍ଥାନୀୟ କଂଗ୍ରେସ ଭବନ ସମ୍ମୁଖରେ ଆୟୋଜିତ ଏହି ବିକ୍ଷୋଭ ସମାବେଶରେ ରାଜ୍ୟର ଅନେକ ସୂଚନା ଅଧିକାରକର୍ମୀ ଯୋଗ ଦେଇ ସରକାରଙ୍କ ବିରୋଧରେ ନାରା ଦେବା ସହ ଏହାର ସଂଶୋଧନ ପ୍ରସ୍ତାବକୁ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ