ଭୁବନେଶ୍ବର: ଖୋଲିଲା ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର । ଆଜି(ବୁଧବାର) ଠାରୁ ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ମନ୍ଦିର ପ୍ରବେଶ ପୂର୍ବରୁ ଶ୍ରଦ୍ଧାଳୁ ଦ୍ବିତୀୟ ଡୋଜ ଟିକା ନେଇଥିବାର ପ୍ରମାଣପତ୍ର ନଚେତ୍ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ । ଏଥିସହ ଥରକେ ୧୦୦ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ରହିଛି । ବରିଷ୍ଠ ନାଗରିକ ଓ ଛୋଟ ପିଲାଙ୍କ ପାଇଁ ମନ୍ଦିର ପ୍ରବେଶ ବାରଣ ରହିଥିବାବେଳେ ଆଜି ସ୍ଥାନୀୟ ଲୋକଙ୍କ ସମେତ ରାଜ୍ୟ ବାହାରର ଅନେକ ଶ୍ରଦ୍ଧାଳୁ ପ୍ରଭୁଙ୍କ ଦର୍ଶନ କରିଛନ୍ତି ।
ସମସ୍ତ ଶ୍ରଦ୍ଧାଳୁମାନେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ବ ବଜାୟ ରଖିବା ଭଳି କଟକଣା ମାନି ମନ୍ଦିରରେ ପ୍ରଭୁଙ୍କ ଦର୍ଶନ କରିଛନ୍ତି । ଦୀର୍ଘ ଦିନ ପରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇ ଭକ୍ତଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ