ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶିଷ୍ଟ ଶିଳ୍ପପତି ଲକ୍ଷ୍ମୀ ମିତ୍ତଲ । ପାଖାପାଖି ୧ ଘଣ୍ଟା ନବୀନ ନିବାସରେ ରହିଲେ ମିତ୍ତଲ । କେନ୍ଦ୍ରାପଡାରେ ଆର୍ସେଲର ମିତ୍ତଲ ପକ୍ଷରୁ ପ୍ରସ୍ତାବିତ ଇସ୍ପାତ ପ୍ରକଳ୍ପ କାର୍ଯ୍ୟ ତ୍ୱରାନିତ୍ୱ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ପ୍ରକଳ୍ପ ବାବଦରେ ପ୍ରାୟ ୧ ଘଣ୍ଟା ଧରି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ଉପସ୍ଥିତ ଥିଲେ ।
କେନ୍ଦ୍ରାପଡାରେ ଆର୍ସେଲର ମିତ୍ତଲ ପକ୍ଷରୁ ପ୍ରସ୍ତାବିତ ଇସ୍ପାତ ପ୍ରକଳ୍ପ କାର୍ଯ୍ୟ ତ୍ୱରାନିତ୍ୱ ହୋଇଛି । ଆଜି ପୂର୍ବାହ୍ନରେ କେନ୍ଦ୍ରାପଡାରେ ପ୍ରସ୍ତାବିତ ପ୍ଲାଣ୍ଟ ଅଞ୍ଚଳ ବୁଲି ଦେଖିବା ସହ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ଲକ୍ଷ୍ମୀ ନାରାୟଣ ମିତ୍ତଲ । ପ୍ଲାଣ୍ଟର ନକ୍ସା ଅନୁସାରେ ଏହାର ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିଛନ୍ତି ମିତ୍ତଲ । କେନ୍ଦ୍ରାପଡ଼ାରେ ଷ୍ଟିଲ ପ୍ଲାଣ୍ଟ ହେଲେ, ଏଠାକୁ ଆସିବାକୁ ଥିବା କଞ୍ଚାମାଲ ଓ ଉତ୍ପାଦିତ ସାମଗ୍ରୀ ପରିବହନ ସମ୍ପର୍କରେ ସେ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ।
ସେହିପରି ମହାକାଳପଡା ବତିଘର ଅଞ୍ଚଳ ମଧ୍ୟ ବୁଲି ଦେଖିଛନ୍ତି ମିତ୍ତଲ । କେନ୍ଦ୍ରାପଡାର ମହାକାଳପଡ଼ାରେ 50 ହଜାର କୋଟିରୁ ଅଧିକ ଟଙ୍କା ବିନିଯୋଗରେ 12MTPA ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ କମ୍ପ୍ଲେକ୍ସ ପ୍ରତିଷ୍ଠା ନେଇ ମାର୍ଚ୍ଚ 4 ରେ ଏମଓୟୁ ସ୍ୱାକ୍ଷର ହୋଇଛି । ଏ ନେଇ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି ଆର୍ସେଲର-ମିତ୍ତଲ ନିପନ ଷ୍ଟିଲ । ଯେଉଁଥିପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି କାର୍ଯ୍ୟର ତ୍ୱରିତ ଦିଗକୁ ନେଇ ଆଲୋଚନା କରିଛନ୍ତି ଲକ୍ଷ୍ମୀନାରାୟଣ ମିତ୍ତଲ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ