ଭୁବନେଶ୍ବର: ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ନାମରେ ବିଜେପି ଆଣିଥିବା ଜମି ହଡପ ଅଭିଯୋଗକୁ ନିଜେ ମହାରଥୀ ଖଣ୍ଡନ କରିଥିବାବେଳେ ବିଜେପି ତାଙ୍କୁ ମିଛୁଆଙ୍କ ସର୍ଦ୍ଦାର ବୋଲି କହିଛି । ମଙ୍ଗଳବାର ସକାଳେ ପ୍ରଦୀପ ଏହି ଅଭିଯୋଗକୁ ଖଣ୍ଡନ କରି 100 ଟଙ୍କାର ଜମି ଯଦି ମୁଁ ପିପିଲି କି ଡେଲାଙ୍ଗରେ ରେଜିଷ୍ଟ୍ରି କରିଥିବା ପ୍ରମାଣିତ ହୁଏ, ତେବେ ବିଧାନସଭା ଆସିବିନି ବୋଲି କହିଥିଲେ । ଏହାର ଜବାବ ଦେଇ ବିଜେପି ତାଙ୍କୁ ମିଛୁଆଙ୍କ ସର୍ଦ୍ଦାର କହିବା ସହ ଜିଲ୍ଲାପାଳ ତଦନ୍ତ କଲେ ଦୁଧ୍ କା ଦୁଧ୍ ପାନି କା ପାନି ହୋଇଯିବ ବୋଲି କହିଛି ।
ସୋମବାର, ପ୍ରଦୀପ ମହାରଥୀଙ୍କ ବିରୋଧରେ ବିଜେପି 100 କୋଟିରୁ ଅଧିକ ଟଙ୍କାର ସରକାରୀ ଜମି ହଡପ ଅଭିଯୋଗ ଆଣିଥିଲା । ଯାହାର ଜବାବ ଦେଇ ମହାରଥୀ କହିଛନ୍ତି,‘100 କୋଟି ତ ଦୂରର କଥା, 100 ଟଙ୍କା ଜମି ଯଦି ମୁଁ ପିପିଲି କି ଡେଲାଙ୍ଗରେ ରେଜିଷ୍ଟ୍ରି କରିଥିବା ପ୍ରମାଣିତ ହୁଏ, ତେବେ ମୁଁ ବିଧାନସଭା ଆସିବିନି ।’ ଏହାସହ ଏହି ଅଭିଯୋଗ ଆଣିଥିବା ବିଜେପି ନେତା ଆଶ୍ରିତ ପଟ୍ଟନାୟକଙ୍କୁ ଓଲଟା ଟାର୍ଗେଟ କରି ସେ ସରକାରୀ ଜମିକୁ ଚଞ୍ଚକତା କରି ନିଜ ନାମରେ କରିଥିବା ଅଭିଯୋଗ କରିଛନ୍ତି ମହାରଥୀ ।
ସେପଟେ ମହାରଥୀଙ୍କ ଏହି ମନ୍ତବ୍ୟ ପରେ ବିଜେପି ନେତା ଆଶ୍ରିତ ପଟ୍ଟନାୟକ ତାଙ୍କୁ ମିଛୁଆଙ୍କ ସର୍ଦ୍ଦାର ବୋଲି କହିଛନ୍ତି । ଏଥି ସହିତ 35 ରୁ 40 ବର୍ଷ ଧରି ରାଜନୀତି କରି ମହାରଥୀ ଅଞ୍ଚଳକୁ ଧ୍ବଂସ କରିସାରିଲେଣି । ଜମି ମାମଲାରେ ହାଇକୋର୍ଟ ଜିଲ୍ଲାପାଳଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ତଦନ୍ତ ପରେ ସବୁକିଛି ଜଣାପଡିବ ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁଙ୍କ ସହ ତପନ ଦାସଙ୍କ ରିପୋର୍ଟ, ଇଟିଭି ଭାରତ