ଭୁବନେଶ୍ବର: କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଜାତୀୟ ସ୍ତରରେ ଚର୍ଚ୍ଚା ହୋଇଥିଲା । ଏପଟେ କିନ୍ତୁ ସମ୍ପୃକ୍ତ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ତଦନ୍ତ କମିଶନ ସନ୍ଦେହ ପ୍ରକାଶ କରିଛନ୍ତି । ଗତ 2017 ଅକ୍ଟୋବର 10 ତାରିଖରେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ମୂଷାଗୁଡା ଗାଁର ଏକ ନାବାଳିକା କୁନ୍ଦୁଲି ହାଟରୁ ଫେରୁଥିବା ବେଳେ ଉଠାଇନେଇ ଚାରିଜଣ ସେନା ପୋଷାକ ପିନ୍ଧିଥିବା ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ରାଜ୍ୟ ସରକାର ହାଇକୋର୍ଟଙ୍କ ନିର୍ଦ୍ଦେଶରେ କୋରାପୁଟ ଜିଲ୍ଲା ଜଜଙ୍କୁ ତଦନ୍ତ କମିଶନ ଭାବେ ନିଯୁକ୍ତ କରିଥିଲେ । କମିଶନ ଏହି ଘଟଣାରେ 15 ଜଣ ସାକ୍ଷୀଙ୍କୁ ଜେରା କରିଛନ୍ତି ।
କମିଶନ ତାଙ୍କ ରିପୋର୍ଟରେ ସମ୍ପୃକ୍ତ ନାବାଳିକାଙ୍କ ପ୍ରତି ଦୁଷ୍କର୍ମ ଓ ଆତ୍ମହତ୍ୟା ଏବେବି ରହସ୍ୟ ଘେରରେ ବୋଲି କହିଛନ୍ତି । ଜଣେ ନାବାଳିକା ନିଜ ମାନ ସମ୍ମାନକୁ ବାଜି ଲଗାଇ ତାଙ୍କ ପ୍ରତି ଦୁଷ୍କର୍ମ ହୋଇଥିବା ନେଇ କାହିଁକି ମିଛ ଅଭିଯୋଗ କରିଥିଲେ ତାହା ଏକ ବଡ଼ ପ୍ରଶ୍ନ ? ବିଭିନ୍ନ ଲୋକଙ୍କ ମୁଣ୍ଡରେ ବିଭିନ୍ନ କାରଣରୁ ମିଛ ଅଭିଯୋଗ କରିଥାନ୍ତି । ନାବାଳିକା ନିଜେ ଏଭଳି ମିଛ ଅଭିଯୋଗ ଓ ଆତ୍ମହତ୍ୟାର କାରଣ କହିପାରିଥାନ୍ତେ । ମିଛ ଅଭିଯୋଗର କାରଣ ଏବେବି ରହସ୍ୟାବୃତ୍ତ ହୋଇ ରହିଛି ।
ସମ୍ପୃକ୍ତ ନାବାଳିକା ପ୍ରତି କୌଣସି ଦୁଷ୍କର୍ମ ହୋଇନଥିବା ତଦନ୍ତ ସମୟରେ ଏବଂ ଡାକ୍ତରୀ ମାଇନାରୁ ସଙ୍କେତ ମିଳୁଛି । ତେବେ ତାର ହାତ ଓ ଛାତିରେ ହୋଇଥିବା କ୍ଷତର ପ୍ରକୃତ କାରଣ ସ୍ପଷ୍ଟ ନୁହେଁ । କମିଶନ ଏହି ଘଟଣାର ତଦନ୍ତ ସହ କେତେକ ପରାମର୍ଶ ଦେଇଛନ୍ତି । କୌଣସି ଦୁଷ୍କର୍ମ ଘଟଣାରେ ପୀଡ଼ିତାଙ୍କ ପରିଚୟ ଗୁପ୍ତ ରଖାଯାଉ । ଏଥିସହ ଏଭଳି ଘଟଣାର ତଦନ୍ତ ସାଧାରଣ ଲୋକ କିମ୍ବା ଗଣମାଧ୍ୟମ ସମ୍ମୁଖରେ ନକରିବାକୁ କମିଶନ ଦେଇଥିବା ପ୍ରସ୍ତାବକୁ ସରକାର ଗ୍ରହଣ କରି ଉଭୟ ଜିଲ୍ଲା ଓ ରାଜ୍ୟ ପ୍ରଶାସନକୁ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି କୁନ୍ଦୁଲି ଛକରୁ ନାବାଳିକାର ପ୍ରତିମୂର୍ତ୍ତୀ ହଟାଇବାକୁ କମିଶନ ଦେଇଥିବା ପ୍ରସ୍ତାବକୁ ମଧ୍ୟ ସରକାର ଗ୍ରହଣ କରିଛନ୍ତି ।
ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ