କଟକ: ପ୍ରକାଶ ପାଇଲା OPSC-୨୦୧୯ ପରୀକ୍ଷାଫଳ । ଟପ ଟେନରେ ସ୍ଥାନ ପାଇଲେ ସାମ୍ବାଦିକ କିରଣ କୁମାର ମହାନ୍ତି ।
ପିଲାଟି ଦିନରୁ ମେଧାବୀ କିରଣ ବକ୍ତୃତା ଓ ପ୍ରବନ୍ଧରେ ଜିଲ୍ଲା ଓ ରାଜ୍ୟସ୍ତରରେ ଶତାଧିକ ପୁରସ୍କାର ପାଇଛନ୍ତି । ସପ୍ତମ ଏନଆରଟିଏସ୍ ପରୀକ୍ଷାରେ ସେ ଜିଲ୍ଲାରେ ଟପ୍ପର ହୋଇଥିଲେ । ମାଟ୍ରିକ୍ ପରୀକ୍ଷାରେ ୯୩.୬୭ ପ୍ରତିଶତ ରଖି ଜିଲ୍ଲାରେ ଟପ୍ପର ହେବା ସହ ଅମୁଲ୍ ବିଦ୍ୟାଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ । ଏତଦବ୍ୟତୀତ ଯୁକ୍ତଦୁଇରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରୁ ଚେୟାରମ୍ୟାନ୍ କପ୍ ପାଇବା ସହ ୨୦୧୭ରେ ବିଜ୍ଞାନରେ ସ୍ନାତକ ଶ୍ରେଣୀ ଶିକ୍ଷାଲାଭ ବେଳେ ଉତ୍କଳ ବିଶ୍ବବିଦ୍ୟାଳୟରୁ ରାଜ୍ୟପାଳ ସ୍ମାରକୀ ବକ୍ତୃତାରେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ସ୍ବର୍ଣ୍ଣପଦକ ପାଇଥିଲେ । ସେହିପରି ଉତ୍କଳ ବିଶ୍ବବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ସ୍ନାତକୋତ୍ତର ବିଭାଗରେ ସର୍ବୋଚ୍ଚ ନମ୍ବର ରଖି ସମାବର୍ତ୍ତନ ଉତ୍ସବରେ ସ୍ବର୍ଣ୍ଣପଦକ ହାସଲ କରିଥିଲେ ।
ସେହିପରି ୨୦୧୭ରେ କଳିଙ୍ଗ ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ ହୋଇଥିଲେ । ସାହିତ୍ୟ ପାଇଁ କନ୍ଧମାଳ ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦ ତରଫରୁ ଯୁବ ସାରସ୍ବତ ପ୍ରତିଭା ସମ୍ମାନରେ ସମ୍ମାନିତ ହୋଇଥିଲେ । ୪ ବର୍ଷ ଧରି ସମ୍ବାଦର ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ସଫଳ ହୋଇ ମହାମହିମ ରାଜ୍ୟପାଳ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି ।
ଦୁର୍ନୀତି ନିବାରଣ ବିଭାଗ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ବକ୍ତୃତାରେ ପ୍ରଥମ ହୋଇ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପୁରସ୍କୃତ ହୋଇଥିଲେ । ୨୫ ବର୍ଷରେ ଶ୍ରେଷ୍ଠ ଛାତ୍ର ଭାବେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରୁ ରଜତ ଜୟନ୍ତୀ ଉତ୍ସବରେ ପୁରସ୍କୃତ ହୋଇଛନ୍ତି । ଜାତୀୟ ସ୍ତରୀୟ ରେଡକ୍ରସ୍ କ୍ୟାମ୍ପରେ ବକ୍ତୃତାରେ ଅଂଶଗ୍ରହଣ ମଧ୍ୟ ସେ ସମ୍ମାନ ସାଉଁଟିଥିଲେ।
ସେହିପରି ଜାତୀୟ ପ୍ରେସ୍ ଦିବସରେ ବକ୍ତୃତାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଭିଜିଲାନ୍ସ ବକ୍ତୃତାରେ କୃତିତ୍ବ ହାସଲ କରି ଆନ୍ଧ୍ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଓ ତତ୍କାଳୀନ ସାଂସଦ ଡାଃ ପ୍ରସନ୍ନ ପାଟ୍ଟଶାଣୀଙ୍କ ଠାରୁ ସମ୍ମାନିତ ହୋଇଛନ୍ତି । କିରଣ, ଫୁଲବାଣୀ ମାଷ୍ଟ୍ରପଡା ନିବାସୀ ଜଣାଶୁଣା ମହିଳା ଉଦ୍ୟୋଗୀ ଶ୍ରୀମତୀ ବନାନୀ ରାଣୀ ପଟ୍ଟନାୟକ ଓ ଭବାନୀ ପ୍ରସନ୍ନ ମହାନ୍ତିଙ୍କ ଏକମାତ୍ର ପୁତ୍ର ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ