ଭୁବନେଶ୍ବର: ୩ ଦିନ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ର ଉପକୂଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତା ୧୩ ତାରିଖରୁ ରାଜ୍ୟର ଦକ୍ଷିଣ ଓ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଆସନ୍ତା ୨୪ ଘଣ୍ଟା ୧୩ ତାରିଖ ରବିବାର ଠାରୁ ରାଜ୍ୟର ଦକ୍ଷିଣ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଏବଂ କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ପୁରୀ,ନୟାଗଡ଼,ବୌଦ୍ଧ, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ ଓ ଖୋର୍ଦ୍ଧା ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ଆସନ୍ତା ୩ ଦିନ ପାଇଁ ୟେଲୋ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଭୁବନେଶ୍ବର ଓ କଟକ ଟ୍ବିନ ସିଟିରେ ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବା ସହ ବଜ୍ରପାତ ଓ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ପ୍ରାୟ ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଥିବା ବେଳେ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲା ନବରଙ୍ଗପୁରରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡାରେ ସର୍ବାଧିକ ୮୯.୦ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ଦେବଗଡ଼ ଜିଲ୍ଲା ରିଆମାଳରେ ୫୬.୦ ମିମି, ନବରଙ୍ଗପୁର ରାଇଘରରେ ୫୫.୦ ମିମି, ମୟୂରଭଞ୍ଜ ଉଦଳାରେ ୪୬.୦ ମିମି, କନ୍ଧମାଳ ଦାରିଙ୍ଗିବାଡ଼ିରେ ୩୬.୦ ମିମି ବର୍ଷା ରେକର୍ଡ କରାଯାଇଛି । ଜୁନ ପହିଲାରୁ ସେପ୍ଟେମ୍ବର ୧୨ ପର୍ଯ୍ୟନ୍ତ ରାଜ୍ୟରେ ୧୦୪୬.୨ ମିମି ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ବାଭାବିକ ଠାରୁ ୧ ପ୍ରତିଶତ ଅଧିକ ବର୍ଷା । ୩ ଜିଲ୍ଲା ଦେବଗଡ଼, ଝାରସୁଗୁଡା ଓ ମାଲକାନଗିରିରେ ସ୍ବାଭାବିକ ଠାରୁ ୨୦ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି । ୨୩ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି । ୪ ଜିଲ୍ଲା ଖୋର୍ଦ୍ଧା, ଗଜପତି, ପୁରୀ ଓ ବାଲେଶ୍ବର ଜିଲ୍ଲାରେ ସ୍ବାଭାବିକ ଠାରୁ କମ ବର୍ଷା ରେକର୍ଡ ହୋଇଛି । ସେପ୍ଟେମ୍ବର ୧ରୁ ୧୨ ପର୍ଯ୍ୟନ୍ତ ମୌସୁମୀ ଦୁର୍ବଳ ରହିବା ଯୋଗୁଁ ୪୬ ପ୍ରତିଶତ କମ ବର୍ଷା ହୋଇଥିବା ପାଣିପାଗ ନିର୍ଦ୍ଦେଶ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ