ଭୁବନେଶ୍ବର: ଲେଖାଶ୍ରୀଙ୍କ ଅଭିଯୋଗ ଉପରେ ଜବାବ ରଖିଲେ ବିଜେଡି ପ୍ରବକ୍ତା ଇପ୍ସିତା ସାହୁ । ଆମେ ଭାବୁଥିଲୁ ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାରଙ୍କର ଅଡ଼ିଟ ଆକାଉଣ୍ଟ ଓ ଏଜି ରିପୋର୍ଟ ଉପରେ ସମ୍ୟକ ଧ୍ୟାନ ଓ ଧାରଣା ଥିବ । କିନ୍ତୁ ତାଙ୍କ ବିବୃତ୍ତି ଦର୍ଶାଉଛି ଅଡିଟ ଆକାଉଣ୍ଟ ଓ ଏଜିଙ୍କ କାର୍ଯ୍ୟବିଧ ସଂକ୍ରାନ୍ତରେ ବିଜେପି ନେତ୍ରୀଙ୍କର ସାମାନ୍ୟତମ ଜ୍ଞାନ ନାହିଁ । ଶୁକ୍ରବାର ଗଣମାଧ୍ୟମରେ ଲେଖାଶ୍ରୀ ରଖିଥିବା ବକ୍ତବ୍ୟରୁ ଏହା ସ୍ପଷ୍ଟ ହୋଇଛି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ ।
ସିଏଜି ରିପୋର୍ଟ ଆଳରେ ଲେଖାଶ୍ରୀ ଆଜି (ଶୁକ୍ରବାର) ପୁଣିଥରେ ମିଥ୍ୟା, ଭିତ୍ତିହୀନ ଓ କପୋଳକଳ୍ପିତ ଆରୋପ ରଖୁଛନ୍ତି । କେତେବେଳେ ପ୍ରଶାସକ ତ ଆଉ କେତେବେଳେ ନେତାମାନଙ୍କ ଉପରେ ମନଗଢା ଆରୋପ ଲଗାଉଛନ୍ତି ଲେଖାଶ୍ରୀ । ଲେଖାଶ୍ରୀଙ୍କ ଏଭଳି ବକ୍ତବ୍ୟ ପଛରେ ରହିଛି ପିପିଲି ଟିକେଟ୍ ନପାଇବାର ଅବଶୋଷ ।
ପିପିଲି ବିଧାନସଭା ଟିକେଟରୁ ବଞ୍ଚିତ ହେବା ସହିତ ଦିନକୁ ଦିନ ଦଳରେ ଅପ୍ରାସଙ୍ଗିକ ହୋଇପଡିଛନ୍ତି ଲେଖାଶ୍ରୀ । ନିଜକୁ ପ୍ରାସଙ୍ଗିକ ଦର୍ଶାଇବା ଲାଗି ଏଭଳି ବକ୍ତବ୍ୟମାନ ରଖୁଛନ୍ତି । ନିଜର ପ୍ରାସଙ୍ଗିକତା ବଜାୟ ରଖିବାକୁ ପ୍ରତିଦିନ ସକାଳୁ ଏପରି କିଛି ଭିତ୍ତିହୀନ ମନ୍ତବ୍ୟ ରଖୁଛନ୍ତି ଲେଖାଶ୍ରୀ । ଗଣମାଧ୍ୟମରେ ନିଜର ଉପସ୍ଥିତି ଜାହିର ପାଇଁ ବିଜେପି ନେତ୍ରୀ ଏଭଳି ମିଥ୍ୟା ଓ ମନଗଢା ଆରୋପ ଲଗାଉଛନ୍ତି । ଲେଖାଶ୍ରୀଙ୍କ ପ୍ରକୃତି ସଂକ୍ରାନ୍ତରେ ଓଡ଼ିଶାବାସୀ ବେଶ୍ ଭଲଭାବେ ଅବଗତ ଅଛନ୍ତି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ