ଭୁବନେଶ୍ବର: ନୂତନ ଭାବେ କାର୍ଯ୍ୟରେ ଯୋଗଦେଇଥିବା ୪୭ ଜଣ ଶିଳ୍ପ ବିକାଶ ଅଧିକାରୀ (ଆଇପିଓ)ମାନଙ୍କ ନିମନ୍ତେ ଦିଶା ନିର୍ଦ୍ଦେଶ ତାଲିମ କାର୍ଯ୍ୟକ୍ରମ(Instructional training programs) ଆରମ୍ଭ ହୋଇଛି । ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ୫ ଦିନ ଧରି ଚାଲିବାକୁ ଥିବା ଏହି ତାଲିମର ପ୍ରଥମ ଦିନର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଶିଳ୍ପ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର (Dibya Shankar Mishra) । ନବନିଯୁକ୍ତ ଅଧିକାରୀମାନଙ୍କୁ ନମ୍ରତାର ସହ ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ।
ଲୋକଙ୍କୁ କର୍ମନିଯୁକ୍ତି ଯୋଗାଇବା ସହ ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ କରିବାରେ ଏମ୍ଏସ୍ଏମ୍ଇର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତୃଣମୂଳ ସ୍ତରରେ ଆଇପିଓଙ୍କ ନିଯୁକ୍ତି ବିଭାଗର କାର୍ଯ୍ୟଧାରାକୁ ଆହୁରି ଅଧିକ ଗତିଶୀଳ କରିବାରେ ସହାୟକ ହେବ । ଓଡ଼ିଶାକୁ ପ୍ରତିଟି କ୍ଷେତ୍ରରେ ଆଗୁଆ କରି ୧ ନମ୍ବର ସ୍ଥାନରେ ରଖିବାକୁ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି । ନିଜ କର୍ମକ୍ଷେତ୍ରରେ କର୍ମତତ୍ପରତା ପ୍ରଦର୍ଶନ କରିବାକୁ ହେବ ବୋଲି ଏହି କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି । ବିଶେଷ ଭାବେ ସରକାରଙ୍କ ୫-‘ଟି’ ଓ ‘ମୋ ସରକାର’ର ତାତ୍ପର୍ଯ୍ୟକୁ ଏହି ତାଲିମ ମାଧ୍ୟମରେ ହୃଦୟଙ୍ଗମ କରି ନିଜର କର୍ତ୍ତବ୍ୟ ସମ୍ପାଦନ କଲେ ନିଶ୍ଚିତ ସଫଳତା ମିଳିବ ବୋଲି ସେ କହିଛନ୍ତି ।
ପାଞ୍ଚଦିନିଆ ତାଲିମରେ ଏହି ଅଧିକାରୀମାନଙ୍କୁ ଜିଲ୍ଲା ଶିଳ୍ପ କେନ୍ଦ୍ର, ଆଞ୍ଚଳିକ ଶିଳ୍ପ କେନ୍ଦ୍ର, ଗୁଡ଼୍ ଗର୍ଭର୍ଣ୍ଣାନ୍ସ, ଇ-ଗଭର୍ଣ୍ଣାନ୍ସ, ସର୍ଭିସ୍ କୋଡ୍, ପ୍ରଶାସନିକ ନୈତିକତା, ଜିଲ୍ଲା ଶିଳ୍ପ ପ୍ରୋତ୍ସାହନ ସଂସ୍ଥା (ଦୀପା), ରପ୍ତାନୀ ପ୍ରୋତ୍ସାହନ ସମେତ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ସ୍କିମ୍ ସମ୍ବନ୍ଧରେ ଅବଗତ କରାଯିବ । ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ, ଅଭିଜ୍ଞ ଶିଳ୍ପ ଅଧିକାରୀ ତଥା ସରକାରଙ୍କ ବରିଷ୍ଠ ଅଧିକାରୀଗଣ ତାଲିମ ପ୍ରଦାନ କରିବେ । ଡିସେମ୍ବର ୧୮ ତାରିଖରେ ଉଦ୍ଯାପନୀ ଦିବସରେ ମୁଖ୍ୟମନ୍ତ୍ରୀ ଏହି ନବନିଯୁକ୍ତ ଅଧିକାରୀଙ୍କୁ ମାର୍ଗଦର୍ଶନ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମକୁ ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସାଦ୍ଦିକ୍ ଆଲାମ୍ ସଞ୍ଚାଳନ କରିଥିବାବେଳେ ଅତିରିକ୍ତ ଶାସନ ସଚିବ ଉଦୟ ନାରାୟଣ ଦାସ, ଅତିରିକ୍ତ ଶିଳ୍ପ ନିର୍ଦ୍ଦେଶକ ଏସ୍.କେ. ହୋତା, ଏକାଡେମୀର ଯୁଗ୍ମ କମିଶନର ତଥା ପାଠ୍ୟକ୍ରମ ନିର୍ଦ୍ଦେଶକ ଡ.ପ୍ରଦୀପ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ