ଭୁବନେଶ୍ବର: ରାଜଧାନୀସ୍ଥିତ ଏକ ସୁପ୍ରତିଷ୍ଠିତ ଘରୋଇ ଶିକ୍ଷାନୁଷ୍ଠାନ ପକ୍ଷରୁ ଟୋକିଓ ଅଲମ୍ପିକ୍ସରେ ଯୋଗ ଦେଇଥିବା ଅଲମ୍ପିଆନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏଥିରେ ଘରୋଇ ଅନୁଷ୍ଠାନର ତିନି ଅଲମ୍ପିଆନ ଛାତ୍ରଛାତ୍ରୀ ମଧ୍ୟ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ହକି ତାରକା ବୀରେନ୍ଦ୍ର ଲାକ୍ରା, ଅମିତ୍ ରୋହିଦାସ, ଦୀପ ଗ୍ରେସ୍ ଏକକା ଓ ନମିତା ଟପ୍ପୋଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
ଏହି ଅବସରରେ ପ୍ରତି ଅଲିମ୍ପିଆନଙ୍କୁ ଘରୋଇ ଅନୁଷ୍ଠାନ ପକ୍ଷରୁ ଲକ୍ଷେ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଭାରତୀୟ କୋଚ୍ ଅମୂଲ୍ୟ ନନ୍ଦ ବିହାରୀ, ରାଜୁ ସାହାଣୀ ଓ ବିଜୟ ଲାକ୍ରାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
ଏହି ଘରୋଇ ଶିକ୍ଷାନୁଷ୍ଠାନ ଶିକ୍ଷା ସହ କ୍ରୀଡ଼ାକୁ ଅଗ୍ରାଧିକାର ଦେଇ ଆସିଛି । ନିରନ୍ତର ପ୍ରଚେଷ୍ଟା, ଉପଯୁକ୍ତ ତାଲିମ୍ ଓ ପ୍ରଶିକ୍ଷଣ, ଅତ୍ୟାଧୁନିକ ଭିତ୍ତିଭୂମି ଯୋଗାଇ ଦେଇ ଆନ୍ତର୍ଜାତିକସ୍ତରର କ୍ରୀଡ଼ାବିତ୍ ସୃଷ୍ଟି କରିବାରେ ଲାଗିଛି । ଇତି ମଧ୍ୟରେ ଏହି ଶିକ୍ଷାନୁଷ୍ଠାନରୁ ଅଲିମ୍ପିଆନଙ୍କ ସମେତ ୫ହଜାରରୁ ଊର୍ଦ୍ଧ୍ୱ କ୍ରୀଡ଼ାବିତ୍ ସୃଷ୍ଟି ହୋଇସାରିଲେଣି ।
ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଅତିଥି ଓଡ଼ିଶା ହକି ପ୍ରମୋସନାଲ କାଉନସିଲର ଅଧ୍ୟକ୍ଷ ଦିଲିପ ତିର୍କୀ ଓ ସମ୍ମାନୀୟ ଅତିଥି ଭାବେ ଭାରତୀୟ ରଗବୀ ବୋର୍ଡ ସଦସ୍ୟ ତଥା ବଲିଉଡ ନିର୍ଦ୍ଦେଶକ ଓ କଳାକାର ରାହୁଲ ବୋଷ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଦୌଡ଼ରାଣୀ ଦୂତି ଚାନ୍ଦ, ଖଡ଼୍ଗ ଯୋଦ୍ଧା ସି ଏ ଭବାନୀ ଦେବୀ ଓ ଜାଭେଲିନ୍ ଥ୍ରୋ ଖେଳାଳି ଶିବପାଲ୍ ସିଂହଙ୍କୁ ମଧ୍ୟ ଏହି ସମ୍ବର୍ଦ୍ଧିତ କରିବା ସହ ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ