ଭୁବନେଶ୍ବର: ଏଥର ସ୍ବାଧୀନତା ଦିବସରେ ପାଳିତ ହେବ ଗାନ୍ଧୀ ଜୟନ୍ତୀ । ୧୫୦ତମ ଗାନ୍ଧୀ ଜୟନ୍ତୀ ପୂର୍ତ୍ତି ଉପଲକ୍ଷେ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର । ଗାନ୍ଧୀ ଜୟନ୍ତୀକୁ ଧୁମଧାମରେ ପାଳିବାକୁ ସ୍ବାଧୀନତା ଦିବସରେ ହେଉଛି ସ୍ବତନ୍ତ୍ର ଆୟୋଜନ । ଏନେଇ ଜୋରସୋରରେ ଲାଗି ପଡିଛନ୍ତି ରାଜ୍ୟ ସରକାରଙ୍କ ବରିଷ୍ଠ ଅଫିସର ।
ଗାନ୍ଧିମାର୍ଗ ପରିବର୍ତ୍ତେ ଏଥର ପ୍ରଦର୍ଶନୀ ପଡିଆରେ ପାଳନ କରାଯିବ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ଉତ୍ସବ । କେବଳ ୧୫୦ତମ ଗାନ୍ଧି ଜୟନ୍ତୀ ଉତ୍ସବ ନିମନ୍ତେ ଆଡମ୍ବରରେ ପାଳନ ପାଇଁ ପ୍ରଦର୍ଶନୀ ପଡିଆରେ ଭବ୍ୟ ଆୟୋଜନର ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏକାସାଙ୍ଗେ ପାଳନ ହେବ ସ୍ବାଧୀନତା ଦିବସ ଓ ୧୫୦ତମ ଗାନ୍ଧୀ ଜୟନ୍ତୀ ପୂର୍ତ୍ତି ଉତ୍ସବ ।
ଏଥିପାଇଁ ଏଥର ପ୍ରଦର୍ଶନୀ ପଡିଆରେ ଦେଖିବାକୁ ମିଳିବ ଓଡିଶା ସହ ଗାନ୍ଧିଜୀଙ୍କର ପୁରୁଣା ସମ୍ପର୍କର ଚିତ୍ର । ପ୍ରଦର୍ଶିତ ହେବ ଗାନ୍ଧିଜୀଙ୍କର ଓଡିଶା ଗସ୍ତ ସମୟର ଫଟୋ ଚିତ୍ର ଓ ସେହି ସମୟର କିଛି ବିଶେଷ ମୁହୂର୍ତ୍ତର ପୁରୁଣା ଫଟୋ । ଓଡିଶାକୁ ୮ଥର ଆସି ସମୁଦାୟ ୮୨ ଦିନ ରହିଥିବା ଗାନ୍ଧିଜୀ କେଉଁ କେଉଁ ସ୍ଥାନରେ ରହିଥିଲେ । ରହିବା ସମୟରେ କଣ କଣ ଜିନିଷ ବ୍ୟବହାର କରୁଥିଲେ । ସେ ସମୟରେ ଗାନ୍ଧିଜୀ ବସୁଥିବା ଖଟ ଓ ଚେୟାର ସହ ଅନେକ ସାମଗ୍ରୀ ଯାହା ଆଜି ବି ବିଭିନ୍ନ ସଂଗ୍ରହାଳୟରେ ଗଚ୍ଛିତ ହୋଇ ରହିଛି, ସେ ସବୁକୁ ପ୍ରଦର୍ଶିତ କରାଯିବ ।
ଏଥିପାଇଁ ପ୍ରଦର୍ଶନୀ ପଡିଆରେ ପ୍ରସ୍ତୁତ ହେଉଛି ଏକ ସ୍ବତନ୍ତ୍ର ୯ହଜାର ବର୍ଗଫୁଟର ଏକ୍ଜିବିସନ ହ୍ୟାଙ୍ଗର । ଶୀତତାପ ନିୟନ୍ତ୍ରିତ ଏହି ପ୍ରଦର୍ଶନୀରେ ରାଜ୍ୟବାସୀ ସ୍ବାଧୀନତା ଦିବସ ପାଳନ ସହ ଗାନ୍ଧୀଙ୍କ ସହ ଓଡିଶାର ବିଶେଷ ସମ୍ପର୍କରେ ଜାଣିବାକୁ ପାଇବେ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ