ଭୁବନେଶ୍ବର: ଉତ୍ତରପ୍ରଦେଶର ବାରଣାସୀରେ ‘ଯୁବ ସମ୍ବାଦ’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦବୋଧନ ଦେଇଛନ୍ତି । ଯୁବପିଢ଼ିଙ୍କ ବୌଦ୍ଧିକ କ୍ଷମତା ଓ ସୃଜନଶୀଳତାକୁ ବ୍ୟବହାରିକ ରୂପ ଦେବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଭାରତ ସରକାରଙ୍କ ଡିଜିଟାଲ୍ ୟୁନିଭର୍ସିଟି କଳ୍ପନା ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂଆ ଉନ୍ମାଦନା ସୃଷ୍ଟି କରିବ । ପ୍ରଗତି ପାଇଁ ଏକ ନିଷ୍ଠାୟକ ନେତୃତ୍ବର ଆବଶ୍ୟକତା ଅଛି । ଏକବିଂଶ ଶତାବ୍ଦୀରେ ଛାତ୍ରଛାତ୍ରୀ ଦେଶର ଭାଗ୍ୟ ନିର୍ଦ୍ଧାରଣ କରିବେ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, "ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ 'ଜାତୀୟ ଶିକ୍ଷା ନୀତି-୨୦୨୨' ମାଧ୍ୟମରେ ଭାରତର ଯୁବପିଢିଙ୍କ ପାଖରେ ଥିବା ଜ୍ଞାନ, ବୌଦ୍ଧିକ କ୍ଷମତା, ସୃଜନଶୀଳତା ଓ ଅଭିନବ ଆଇଡିଆକୁ ଏକ ବ୍ୟବହାରିକ ରୂପ ଦେବା ଆମର ଲକ୍ଷ୍ୟ ରହିଛି । ଭାରତର ପୁଞ୍ଜି ହେଉଛି ଶିକ୍ଷା, ଜ୍ଞାନ, ସମ୍ବେଦନଶୀଳତା, କୌଶଳ, ସୃଜନଶୀଳତା । ଛାତ୍ରଛାତ୍ରୀ ହିଁ ଦେଶର ଭାଗ୍ୟ ନିର୍ଦ୍ଧାରଣ କରନ୍ତି । ସେମାନେ ନିଜର ଆତ୍ମବିଶ୍ବାସକୁ ବଢ଼ାଇବା ଜରୁରୀ ।"
ଏହାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ବୌଦ୍ଧିକ କ୍ଷମତା ଓ ସୃଜନଶୀଳତାକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଜାତୀୟ ଶିକ୍ଷା ନୀତି-୨୦୨୨ ପ୍ରଣୟନ କରାଯାଇଛି । ଦେଶର ଶିକ୍ଷା ପଦ୍ଧତି ଦୈନନ୍ଦିନ ଜୀବନଶୈଳ ସହ ଜଡ଼ିତ । ଦୀର୍ଘ ୩୪ ବର୍ଷ ପରେ ଭାରତର ପ୍ରାଚୀନ ସଭ୍ୟତା, ଶିକ୍ଷା ବ୍ୟବସ୍ଥା, ଚିକିତ୍ସା ବିଜ୍ଞାନକୁ ଆଧୁନିକତାର ରୂପ ଦେବା ପାଇଁ ଏହି ନୀତି ଅଣାଯାଇଛି । ମାତୃଭାଷା ସହ ମୌଳିକ ଶିକ୍ଷା ଏବଂ ରୋଜଗାର ଆଧାରିତ ଶିକ୍ଷା ନୀତି ଉପରେ ପ୍ରାଥମିକତା ଦିଆଯାଉଛି । ଏହି ଶିକ୍ଷା ବ୍ୟବସ୍ଥା ଦ୍ଵାରା ସମାଜର ଉନ୍ନତି ହେବା ସହ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆସିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ବର୍ତ୍ତମାନ ଦେଶ ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ "ଆଜାଦୀ ବା ଅମୃତ ମହୋତ୍ସବ" ପାଳନ କରୁଛି । ଏହି ସମୟରେ ଶିକ୍ଷା ଦେଶ ପାଇଁ ନୂଆ ଚ୍ୟାଲେଞ୍ଜ୍ ହୋଇଛି । ଏକବିଂଶ ଶତାବ୍ଦୀକୁ ଧ୍ୟାନରେ ରଖି ଶିକ୍ଷା କ୍ଷେତ୍ରରେ ଥିବା ଚ୍ୟାଲେଞ୍ଜ ଗୁଡ଼ିକୁ ସାମ୍ନା କରିବା ପାଇଁ ଯୁବକଙ୍କୁ ସୁଯୋଗ ଦିଆଯାଉଛି । ଚଳିତ ୨୦୨୨-୨୩ ଆର୍ଥିକ ବର୍ଷ ସାଧାରଣ ବଜେଟରେ ଶିକ୍ଷାକୁ ଅଧିକ ଗୁଣାତ୍ମକ କରିବା ପାଇଁ ପ୍ରଥମ ଥର ପାଇଁ ୧ ଲକ୍ଷ ୪ ହଜାର ୨୭୮ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଭାରତ ସରକାର ଡିଜିଟାଲ ୟୁନିଭର୍ସିଟି ଦିଗରେ କାମ କରିବାର କଳ୍ପନା କରିଛନ୍ତି । ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂଆ ଉନ୍ମାଦନା ସୃଷ୍ଟି କରିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ